କନକ ବ୍ୟୁରୋ: ଖୋଲିବ ବହୁଚର୍ଚ୍ଚିତ ଋଷି ହତ୍ୟାକାଣ୍ଡର ଫାଇଲ୍ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ବିଜେପି । ଏହି ଘଟଣା ରେ ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିଛି ବିଜେପି । ସେପଟେ ଅନନ୍ତ କହିଲେ ସବୁ ତଦନ୍ତ ପାଇଁ ସେ ପ୍ରସ୍ତୁତ ।
ବହୁଚର୍ଚ୍ଚିତ ଋଷି ହତ୍ୟାକାଣ୍ଡ ଘଟଣାର ଖୋଲିବ ଗୁମର । ସତ କଣ ତାହା ସାମ୍ନାକୁ ଆସିବ। ସେକ୍ସ ସ୍କାଣ୍ଡାଲରେ ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଥିବା ପୁଣିଥରେ ଅଭିଯୋଗ ଆଣିଛି ବିଜେପି । ୧୦ବର୍ଷ ତଳେ ଘଟିଥିବା ଋଷି ହତ୍ୟାକାଣ୍ଡରେ ପୂର୍ବତନ ମେୟରଙ୍କ ସଂପୃକ୍ତି ଏବେ ବି ସନ୍ଦେହ ଘେରରେ ରହିଛି । ଋଷିଙ୍କ ପରିବାର ଏବେ ବି ଦୁଃଖରେ ରହିଛନ୍ତି। କିନ୍ତୁ ଏବେ ସତ ସାମ୍ନାକୁ ଆସିବ । ଭାଇରାଲ ଭିଡିଓକୁ ପୁଣି ତର୍ଜମା କରାଯିବ ବୋଲି କହିଛନ୍ତି ବିଜେପି ନେତା ବାବୁ ସିଂ ।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି, ତଥ୍ୟ ଲୁଚେଇବାକୁ ଯାଇ ଘଟଣାକୁ ଅନ୍ୟଆଡ଼େ ନିଆଯାଉଛି । ଋଷି ହତ୍ୟାକାଣ୍ଡ ଓ ସେକ୍ସ ସ୍କାଣ୍ଡାଲ ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ସେ କହିଛନ୍ତି । ସବୁ ପ୍ରକାର ତଦନ୍ତ ପାଇଁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ।
ଏବେ ପ୍ରଶ୍ନ ଉଠୁଛି
ପୁରୁଣା ଫାଇଲ ଖୋଲିଲେ କିଛି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବ କି ? ପୂର୍ବରୁ ସତକୁ ଚପାଇ ଦିଆଯାଇଥିଲା କି ? ସେକ୍ସ ସ୍କାଣ୍ଡାଲର ସତ ସାମ୍ନାକୁ ଆସିବ କି ? ବୁନୁଙ୍କ ପାଇଁ ଆଗକୁ ଅଡ଼ୁଆ ବଢ଼ିବ କି ?