କନକ ବ୍ୟୁରୋ : ପେସାରେ ଇଲେକଟ୍ରିକାଲ ଇଂଜିନିୟର।  ନିଶା ତାଙ୍କର କିଛି ଅଲଗା। ଆଉ ସେ ନିଶା ତାଙ୍କ ପେସାଠାରୁ ବି ଭାରୀ ପଡିଯାଏ । ସଂଗୀତ ପାଇଁ ପାଗଳ। ସଂଗୀତ ହିଁ ତାଙ୍କ ଜୀବନ । ଅନୀଲ ମିଶ୍ର। ରେଡିଓ, ସିଡି କ୍ୟାସେଟ୍, ରେକର୍ଡ ପ୍ଲେୟାର୍କୁ ସଂଗ୍ରହ କରି ତାକୁ ସାଇତି ରଖିଛନ୍ତି ଅନୀଲ । ଏହି ସଉକ ତାଙ୍କର ବଢିଥିଲା ବାପାଙ୍କଠାରୁ । ଆଉ ସେହିଠାରୁ ହିଁ ଅନିଲଙ୍କର ରେଡିଓ ଶୁଣିବା ଓ ସଂଗ୍ରହ କରିବାର ଆଗ୍ରହ ସୃଷ୍ଟି ହୋଇଥିଲା । ସମୟ ପାଇବା ମାତ୍ରେ ରେଡିଓ ଧରି ବସି ପଡନ୍ତି ସେ । ଆଉ ଯଦି ରେଡିଓ  କେତେବେଳେ ଖରାପ  ହୋଇଯାଏ ତାକୁ ନିଜେ ହିଁ ସଜାଡ଼ି ଦିଅନ୍ତି ଅନୀଲ ।  ତାଙ୍କ ପାଖରେ ବିଭିନ୍ନ କମ୍ପାନିର ରେଡିଓ ରହିଛି। ତାଙ୍କ ପାଖରେ ଥିବା ରେଡିଓଗୁଡ଼ିକ ତିରିଶ ଚାଳିଶ ବର୍ଷର ପୁରୁଣା ହୋଇଗଲାଣି । ହେଲେ ସେସବୁ ଏବେ ମଧ୍ୟ ବାଜୁଛି।

Advertisment

ରେଡିଓ ସଂଗ୍ରହ କରିବାର ନିଶା ତାଙ୍କର ଆଜିକାଲିର ନୁହେଁ । ୧୯୭୫ ମସିହା ପାଖରୁ ରେଡ଼ିଓ ସଂଗ୍ରହ ଆରମ୍ଭ କରିଥିଲେ ଅନିଲ୍ ।  ନିଜର କର୍ମମୟ ଜୀବନରୁ ଟକିଏ ଫୁରସତ ମିଳିଲେ ନିଜ ମ୍ୟୁଜିକ୍ ସିଷ୍ଟମ୍ ସହିତ ସମୟ କଟାନ୍ତି । ପିଲାବେଳୁ ଏପର୍ୟ୍ୟନ୍ତ ସେ ଅନେକଗୁଡ଼ିଏ ଓଡ଼ିଆ ଓ ହିନ୍ଦୀ ରେକର୍ଡ ପ୍ଲେୟାର ସଂଗ୍ରହ କରିଛନ୍ତି ଅନିଲ। ପ୍ରାୟ ପାଞ୍ଚ ହଜାରରୁ ଅଧିକ ରେକର୍ଡ ରହିଛି ତାଙ୍କ ପାଖରେ । ଅନେକ ପୁରୁଣା ଓଡ଼ିଆ ଓ ହିନ୍ଦୀ ଗାୟକଙ୍କ ଗୀତର ବିରଳ ରେକର୍ଡ ରଖିଛନ୍ତି ଅନୀଲ ।  ଆଉ ଏ ସବୁକୁ ପ୍ରତ୍ୟେକ ଦିନ ପୋଛି ନିଜ ପିଲା ଭଳି ଯତ୍ନ ନେଇଥାନ୍ତି ଅନିଲ୍। ଆଉ ଏଥିପାଇଁ ଅନିଲଙ୍କର ଅଛି ଗୋଟିଏ ସ୍ୱତନ୍ତ୍ର ଘର। ଅନିଲଙ୍କ ଏହି ନିଶାକୁ ନେଇ ସହଯୋଗ କରନ୍ତି ତାଙ୍କ ପରିବାର । 

ଏବେ ବି ଅନିଲଙ୍କର ରେକର୍ଡ ପ୍ଲେୟାର, କ୍ୟାସେଟ୍, ସିଡି ଓ ରେଡିଓ ସଂଗ୍ରହ ଜାରି ରହିଛି। ଭବିଷ୍ୟତରେ ସେ ଏକ ସଂଗ୍ରହାଳୟ ଖୋଲିବାର ଲକ୍ଷ୍ୟ ରଖିଛନ୍ତି।