କନକ ବ୍ୟୁରୋ : ଅନ୍ଧବିଶ୍ବାସର କରୁଣ ପରିଣତି , ଗୁଣିଗାରେଡି ସନ୍ଦେହରେ ଦେହରେ ପାଳବିଡ଼ା ବାନ୍ଧି ନିଆଁ ଲଗାଇ ବୃଦ୍ଧଙ୍କୁ ମାରିଦେବାକୁ କରୁଥିଲେ ଉଦ୍ୟମ । ଗୁରୁତର ଅବସ୍ଥାରେ ବୃଦ୍ଧ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ନୂଆପଡ଼ା ସିନାପାଲି ଥାନା ଅଞ୍ଚଳର ନୂଆମାଳପଡ଼ା ଅଞ୍ଚଳରୁ ଏଭଳି ଅଭାବନୀୟ ଖବର ଆସିଛି । ବିଗତ କିଛି ଦିନରେ ଏକାଧିକ ଲୋକଙ୍କ ମୃତ୍ୟୁ ପାଇଁ ଗୁଣିଗାରେଡିକୁ ଦାୟୀ କରିବା ସହ ଖାମସିଂ ମାଝୀ ନାମକ ବୃଦ୍ଧଙ୍କୁ ପ୍ରଜାକୋର୍ଟକୁ ଡକାଯାଇଥିଲା । ସେ ଗୁଣିଗାରେଡ଼ି , ତନ୍ତ୍ରମନ୍ତ୍ର କରିବାରୁ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିରୁ ନିବୃତ୍ତ ନରହିଲେ ଦଣ୍ଡ ଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ । ତେବେ ବୃଦ୍ଧ ଖାମସିଂ ମାଝୀ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଗ୍ରାମବାସୀ ମାନେ ଜୋରଜବରଦସ୍ତି ତାଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ନିଆଁ ଲଗାଇଦେଇଥିଲେ । ଜୀବନ ବିକଳରେ ବୃଦ୍ଧ ଜଣକ ପାଖରେ ଥିବା ପୋଖରୀକୁ ଡେଇଁପଡିଥିଲେ । ପରିବାର ଲୋକ ପୁଲିସକୁ ଫୋନ୍ କରି ଜଣାଇବା ପରେ ଗୁରୁତର ଅବସ୍ଥାରେ ବୃଦ୍ଧ ଜଣକୁ ସିନାପାଲି ଡାକ୍ତରଖାନାକୁ ଆଣିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।