କନକ ବ୍ୟୁରୋ: କଟକରେ ବ୍ରିଜରୁ ସ୍ଲାବ ଖସିବା ଘଟଣାରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟାବେଳେ କଟକ ଖାନନଗରରେ ବ୍ରିଜ୍ କାମ ଚାଲିଥିବା ବେଳେ ଯାଇଛି ୩ ଜଣଙ୍କର ଜୀବନ । କାମ ଚାଲିଥିବା ବେଳେ ସ୍ଲାବ ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରମାନଙ୍କର ଚିକିତ୍ସା କଟକ ଏସସିବି ମେଡ଼ିକାଲରେ ଚାଲିଛି । ଖାନନଗରଠାରେ କାଠଯୋଡ଼ି ବ୍ରିଜ୍ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସ୍ଲାବ ଖସିପଡ଼ିବାରୁ ଏହା ତଳେ ୫ ଜଣ ଶ୍ରମିକ ଚାପି ହୋଇ ରହିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏସସିବି ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । କ୍ରେନର ବ୍ୟାଣ୍ଡ୍ ଛିଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜିଲ୍ଲାପାଳ, କଟକ ଡିସିପି, ମେୟର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିଚୟ ମିଳିଛି । ମୃତକମାନେ ହେଲେ ସାଇଟ୍ ଇଂଜିନିୟର ସୌମ୍ୟରଂଜନ ବେହେରା, ଶିବଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ। ସେହିପରି ୨ ଆହତ ହେଉଛନ୍ତି ଅରୁଣ ବାରିକ ଏବଂ ବିକଳ ଜେନା।  ଏସସିବିରେ ଆହତଙ୍କୁ ଭେଟିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।