କନକ ବ୍ୟୁରୋ: ଜଞ୍ଜାଳୀ ମଣିଷଟିଏ ଭାବେ ଜଗା ପାଖକୁ ଗଲେ, ମୋ ସୁଖ ଦୁଃଖ କଥା କହିବି । ହେଲେ ଥରେ ତାର ଆଖିରେ ଆଖି ମିଶିଗଲେ, ତା’ ମୁହଁକୁ ଚାହିଁଦେଲେ ଆଉ କିଛି ମନେପଡ଼େନି । ସବୁ ଜଞ୍ଜାଳ କଥା ସେ ଭୁଲିଯାଏ । ଏଇ ତ ମହାପ୍ରଭୁଙ୍କ ମାୟା । କିନ୍ତୁ ଏକଥା ବି ସତ , ଯିଏ ନିଜ ଜଞ୍ଜାଳ ଦୁଃଖକୁ ତାଙ୍କ ପାଖରେ ବାଢ଼ିଦିଏ ସେ ତା’ର ଦୁଃଖକୁ ଲାଘବ କରିବାକୁ ବିଳମ୍ବ କରନ୍ତି ନାହିଁ । ଏହାର ବି ପ୍ରମାଣ ଅଛି ।
ଏହି କ୍ରମରେ ଜଣେ ଭକ୍ତଙ୍କ କଥା, ଯାହା ଶୁଣିଛି ତାହା ଲେଖିବାକୁ ଚେଷ୍ଟା କରୁଛି । ଅନେକ ବର୍ଷ ତଳର କଥା ସଚିବାଳୟରେ ଚାକିରି କରୁଥାନ୍ତି କଟକ ବାସିନ୍ଦା ଗୋଲକ ବିହାରୀ ବିଶୋୟୀ । ଅନେକ ସମୟରେ ଶ୍ରୀ ଜଗନ୍ନାଥଙ୍କ ଅନୁଭୂତିର କଥା ଲେଖନ୍ତି । ଭୁବନେଶ୍ବରରେ କ୍ବାର୍ଟରରେ ରହୁଥାନ୍ତି । ପାଖାପାଖି ୨୦୦୮ ମସିହାର କଥା ସଚିବାଳୟରେ ଚାକିରି, ସ୍ବଳ୍ପ ଦରମା । ହେଲେ ଘରେ ୫ ଝିଅ, ପତ୍ନୀଙ୍କ ସହ ୬ ପ୍ରାଣୀ କୁଟୁମ୍ବଙ୍କ ସହ ବନ୍ଧୁବାନ୍ଧବଙ୍କ ଦାୟିତ୍ବ । ଚଳାଇବାକୁ ଭାରି କଷ୍ଟ ହୁଏ । ଗୋଟେ ମାସରେ ଦରମା ମିଳିବାରେ ବିଳମ୍ବ ହେଲା ବୋଧହୁଏ । ତା ପୂର୍ବରୁ ପୁଣି ଦଶହରାରେ ଯାହା ଅର୍ଥ ଥିଲା ଖର୍ଚ୍ଚ ହୋଇଯାଇଥାଏ । ଆସିଲା କୁମାରପୂର୍ଣ୍ଣିମା । ୫ ଝିଅଙ୍କର ଜହ୍ନି ଓଷା ସାଙ୍ଗକୁ ଚନ୍ଦ୍ରପୂଜା, ନୂଆ ଡ୍ରେସ୍ ପିନ୍ଧିବାକୁ ପଡ଼ିବ । ହେଲେ ୫ଝିଅଙ୍କ ପାଇଁ ପୋଷାକ କିଣିବାକୁ ଆଉ ପାଖରେ ପଇସା ନାହିଁ । ତେଣୁ ପତ୍ନୀଙ୍କୁ ବୁଝାଇ କହିଲେ ସମସ୍ୟା । ଏକଥା ଯାଇ ପତ୍ନୀ ଝିଅମାନଙ୍କୁ କହିଲେ । ବାପାଙ୍କ ସମସ୍ୟା ବୁଝିପାରିଲେ ବାପାଙ୍କର ଅସହାୟତା । ହେଲେ ମା’ ମନ କଥା କିନ୍ତୁ ଅଲଗା । ଝିଅମାନେ ଏତେ ବଡ଼ ଦିନରେ ନୂଆ ପୋଷାକ ହଳେ ପିନ୍ଧି ପାରିଲେନି, ସେଥପାଇଁ ତାଙ୍କ ମନରେ ଘୋର ଦୁଃଖ । ସ୍ବାମୀ, ସ୍ତ୍ରୀ ମହାପ୍ରଭୁଙ୍କୁ ଦୁଃଖ ଜଣାଇ ରହିଲେ ।
ହେଲେ ମହାପ୍ରଭୁ ଯେମିତି ଭକ୍ତର ନିରବ ପ୍ରାର୍ଥନା ଶୁଣିଲେ । ପତ୍ନୀ ଯାଇ ଆଲମିରାରେ ଥିବା ଶାଢ଼ି ଥାକରୁ ଖଣ୍ଡେ ଶାଢ଼ି କାଢ଼ୁଛନ୍ତି ଗଳ ଗଳ ହୋଇ ୫ ଖଣ୍ଡ ୧୦୦ ଟଙ୍କିଆ ଗଳିପଡ଼ିଲା । ଆଶ୍ଚର୍ଯ୍ୟ ହୋଇଗଲେ ପତ୍ନୀ । ସ୍ବାମୀ ଓ ଝିଅଙ୍କୁ ପଚାରିଲେ କିଏ ରଖିଥିଲେ କି ବୋଲି । ହେଲେ ସମସ୍ତେ ମନାକଲେ । ୟାକୁ ଆଉ କେହି ନୁହେଁ ନିଜେ ମହାପ୍ରଭୁ ହିଁ ରଖିଛନ୍ତି ବୋଲି ତାଙ୍କ ମନରେ ଦୃଢ଼ତା ହେଲା। ଆଉ ମହାପ୍ରୁଭୁଙ୍କ ଏ ଦୟା କଥା ଭାବି ନିଜକୁ ରୋକିପାରିନଥିଲେ ଗୋଲକ ବିହାରୀ ବାବୁ । ଶ୍ରୀ ଜଗନ୍ନାଥଙ୍କ କଥା ଭାବି ଉଭୟ ପତି ପତ୍ନୀଙ୍କ ଆଖିରୁ ଝରିଲା ଲୁହ । ସେଇଠି ମହାପ୍ରଭୁଙ୍କୁ ପ୍ରଣାମ କରି କୃତ୍ୟ କୃତ୍ୟ ହେଲେ ଦୁହେଁ । ଭଗବାନ ଯେ ଜଞ୍ଜାଳୀ ଭକ୍ତର ଭାବନାକୁ ବୁଝିପାରନ୍ତି ଏହାକୁ ମର୍ମେ ମର୍ମେ ଅନୁଭବ କରିଥିଲେ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।