କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସେବାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ଖରାପ ରାସ୍ତା ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ୱୁଲାନ୍ସ । ଫଳରେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଭାରରେ ୭ କିମି ବୋହି ଆମ୍ୱୁଲାନ୍ସ ଯାଏଁ ଆଣିଲେ ଗାଁର ଯୁବକ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ଦୁର୍ଗମ ଅଞ୍ଚଳ ଜେନିଗୁଡା ଗାଁରୁ ଆସିଛି ଏହି ଦୁଃଖଦ ଖବର । ସୂଚନା ଅନୁସାରେ ଜେନିଗୁଡ଼ାର ଗର୍ଭବତୀ ମହିଳା ଫୁଲମେ ସିକକାଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ଆମ୍ୱୁଲାନ୍ସକୁ ଡାକିଥିଲେ । ହେଲେ ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇନପାରି ଅଧା ରାସ୍ତାରେ ଆମ୍ୱୁଲାନ୍ସ ଅଟକି ଯାଇଥିଲା । କୌଣସି ଉପାୟ ନପାଇଁ ଗାଁର କିଛି ଯୁବକ ଗର୍ଭବତୀ ମହିଳାଙ୍କୁ ଏକ ଭାରରେ ୭ କିମି ବୋହି ଆମ୍ୱିଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହାପରେ ଆମ୍ୱୁଲାନ୍ସ ଯୋଗେ ଫୁଲମେ ସିକକାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଥିଲା ।
ସେଠାରେ ଫୁଲମେ ସିକକା ତିନୋଟି ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଖବର ମିଳିଛି । ମାଆ ଓ ନବଜାତକ ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୁନିଖୋଲ ପଞ୍ଚାୟତ ଏକ ଡ଼ଙ୍ଗରିଆ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏବେବି ଅନେକ ଗାଁକୁ ଗମନାଗମନ ସୁବିଧା ନାହିଁ । ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରୁନଥିବାରୁ ସ୍ୱାସ୍ଥ୍ୟ ସେବା ପାଇବାକୁ ଲୋକେ ହଇରାଣ ହେଉଛନ୍ତି । ଏହି ଦୁର୍ଗମ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ସୁଦ୍ଧା କେହି ଶୁଣୁନଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି ।