କନକ ବ୍ୟୁରୋ: ନୂଆ ସମ୍ବିଧାନ ସଂଶୋଧନ ବିଲକୁ ନେଇ ରାଜନୀତି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କରିଛନ୍ତି ସିଧା ନିଶାନା । ୩୦ ଦିନ ଜେଲରେ ରହିଲେ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ପଦ ଛାଡ଼ିବା ଉଚିତ ବୋଲି କହିଛନ୍ତି ଶାହ । ଏଥିସହ ବିରୋଧୀ ଦଳର ନେତାମାନେ ଜେଲରୁ ସରକାର ଚଲାଇବାକୁ ଚାହୁଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

Advertisment

ଅମିତ ଶାହ ସଫା ସଫା କହିଛନ୍ତି, ଗଣତନ୍ତ୍ରର ଗରିମା ପାଇ ଏହି ବିଲ୍ ନିହାତି ଆବଶ୍ୟକ । ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗମ୍ଭୀର ଅଭିଯୋଗରେ ଗିରଫ ହେଇ ଜେଲ୍ ଯାଉଛନ୍ତି, ଆଉ ୩୦ ଦିନ ଜେଲରେ ରହୁଛନ୍ତି, ତେବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିବ । ଜେଲରୁ ସରକାର ଚାଲିପାରିବନି ବୋଲି ସେ ସିଧା ସିଧା କହିଦେଇଛନ୍ତି । 

ଅମିତ ଶାହ ଏହି ଇଣ୍ଟରଭ୍ୟୁରେ ଜଗଦୀପ ଧନଖଡ଼ଙ୍କ ଇସ୍ତଫା କଥା ମଧ୍ୟ କହିଛନ୍ତି । କାହିଁକି ଜଗଦୀପ ଧନଖଡ଼ ଇସ୍ତଫା ଦେଲେ ବୋଲି ପ୍ରଶ୍ନର ଉତ୍ତର ରଖିବା ସହିତ ଶାହ କହିଛନ୍ତି, ଜଗଦୀପ ଧନଖଡ଼ ଗୋଟିଏ ସାମ୍ବିଧାନିକ  ପଦରେ ଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ସେ ବହୁତ ଭଲ କାମ କରିଥିଲେ । ତେବେ ତାଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଶାହ ।

ଶାହ ଏହି ଇଣ୍ଟରଭ୍ୟୁରେ ବିରୋଧୀଙ୍କୁ ମଧ୍ୟ ଛାଡ଼ିନାହାଁନ୍ତି । ମନମୋହନ ସରକାର ବେଳେ ଲାଲୁ ଯାଦବଙ୍କୁ ବଞ୍ଚେଇବାକୁ ଅଧ୍ୟାଦେଶ ଅଣାଯାଇଥିଲା । ହେଲେ ରାହୁଲ ଗାନ୍ଧୀ କିନ୍ତୁ ତାକୁ ଚିରି ଦେଇଥିଲେ । ହେଲେ ଏବେ କିନ୍ତୁ ସେ ନୈତିକତାର କଥା କହୁଛନ୍ତି । ପୂର୍ବରୁ ଯେଉଁ ଅଧ୍ୟାଦେଶକୁ ସେ ବକବାସ୍ କହିଥିଲେ, ଏବେ ତାଙ୍କରି ସହ ମିଶି ସରକାର ଗଢ଼ିବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି କହିବା ସହ, ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି ଶାହ ।