କନକ ବ୍ୟୁରୋ : ଅମିତ ଶାହଙ୍କ ରେକର୍ଡ । ଦୀର୍ଘଦିନ ଧରି ଭାରତର ଗୃହମନ୍ତ୍ରୀ ରହିବାରେ ଅମିତ ଶାହ  ନୂଆ ରେକର୍ଡ କରିଛନ୍ତି । ଲାଲକୃଷ୍ଣ ଆଡଭାନୀ ଓ ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ ବି ଟପିଯାଇଛନ୍ତି ଅମିତ ଶାହ । ଏହି ପଦବିରେ ଅମିତ ଶାହ ଆଜି ୨ ହଜାର ୨ଶହ ୫୮ ଦିନ ପୂରଣ କରିଛନ୍ତି ।

Advertisment

ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ୨୦୧୯ ମସିହା ମେ’ ୩୦ ତାରିଖରୁ ୨୦୨୪ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ରହିଥିଲେ । ଦ୍ୱିତୀୟ ଥର ପାଇଁ ୨୦୨୪ ଜୁନ୍ ୧୦ ତାରିଖରୁ ଏପର୍ଯ୍ୟନ୍ତ ସେହି ପଦବୀରେ  ଅଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଆଜି ଅଗଷ୍ଟ ୫ ତାରିଖରେ ତାଙ୍କର ୨୨୫୮ ଦିନ ପୂରଣ ହେଉଛି । ଦୀର୍ଘ ସମୟ ଧରି ଭାରତର ଗୃହମନ୍ତ୍ରୀ ରହିବାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ ଅମିତ ଶାହ ଟପିଯାଇଛନ୍ତି । ଅମିତ ଶାହଙ୍କ ପୂର୍ବରୁ ଆଡଭାନୀ ୧୯୯୮ ମାର୍ଚ୍ଚ ୧୯ ତାରିଖରୁ ୨୦୦୪ ମେ’ ୨୨ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଆଡଭାନୀଙ୍କ କାର୍ଯ୍ୟକାଳ ଥିଲା ୨୨୫୬ ଦିନ । ଆଡଭାନୀଙ୍କ ପୂର୍ବରୁ କଂଗ୍ରେସର ଗୋବିନ୍ଦ ବଲ୍ଲଭ ପନ୍ତ ୧୯୫୫ ଜାନୁଆରି ୧୦ରୁ ୧୯୬୧ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ । ପନ୍ତଙ୍କ କାର୍ୟ୍ୟକାଳ ଥିଲା ୨ ହଜାର ୧୯୦ ଦିନ।  ସଂଯୋଗବଶତଃ ଆଜିର ଦିନରେ ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ- କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇଥିଲା । ସଂସଦରେ ନିଜେ ଅମିତ ଶାହ ଏହି ଘୋଷଣା କରିଥିଲେ।  ଅମିତ ଶାହ ପୂର୍ବରୁ ଗୁଜରାଟର ଗୃହମନ୍ତ୍ରୀ ମଧ୍ୟ ଥିଲେ ।