କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଆଉ ଏହି ପ୍ରଚାର ଅବସରରେ ଆମ ଆଦମୀ ପାର୍ଟି ସରକାର ଓ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେଜ୍ରିୱାଲଙ୍କ ଉପରେ ବର୍ଷିବା ସହ ଶାହା ଭୋଟରଙ୍କୁ ଅପିଲ କରି କହିଛନ୍ତି, ଏଥର ନିର୍ବାଚନରେ ପଦ୍ମର ବଟନକୁ ଏତେ ମାତ୍ରାରେ ଦବାଅ, ଯେମିତି ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଶାଳ ମହଲ ଭୁଷୁଡି ପଡିବ । 

Advertisment

ଭ୍ରଷ୍ଟାଚାରର ମୂର୍ତ୍ତି ପାଲଟିଯାଇଛନ୍ତି କେଜ୍ରିୱାଲ
ପ୍ରଚାରରେ ଶେଷ ଦିନରେ ଅମିତ ଶାହା କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, ଭ୍ରଷ୍ଟାଚାର ବିରୋଧରେ ସବୁବେଳେ ଲଢେଇ କରିଆସୁଥିବା କଥା କହୁଥିବା କେଜ୍ରିୱାଲ ଆଜି ନିଜେ ଗୋଟେ ଭ୍ରଷ୍ଟାଚାରର ମୂର୍ତ୍ତି ପାଲଟିଯାଇଛନ୍ତି । ଏବଂ ବଡେ ମିଆଁ ଛୋଟେ ମିଆଁ ଉଭୟ ମଦ ଘୋଟାଲାରେ ଜେଲ୍ ଯାଇଛନ୍ତି । ବର୍ତ୍ତମାନ ସମୟ ଆସିଯାଇଛି, ମଦ ମାଫିଆ, ଦୁର୍ନୀତିଖୋରଙ୍କଠୁ ମୁକ୍ତି ପାଇବାର । କେଜ୍ରିୱାଲଙ୍କ ଭଳି ମିଛୁଆ ବ୍ୟକ୍ତିଙ୍କୁ ଜନତା ଜାଣିସାରିଲେଣି । 

ଗୁରୁଙ୍କୁ ଧୋକା ଦେଇଛନ୍ତି କେଜ୍ରିୱାଲ୍

କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି । କେଜ୍ରିୱାଲ କହିଥିଲେ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ । ସେ ତାଙ୍କ ଗୁରୁଙ୍କୁ ବି ଛାଡିନାହାନ୍ତି । ସେ ତାଙ୍କ ଗୁରୁ ଆନ୍ନା ହଜାରେଙ୍କ ସହ ବି ବିଶ୍ୱାସଘାତକତା କରିଛନ୍ତି । କେଜ୍ରିୱାଲ୍ ବିଗତ ୧୦ ବର୍ଷ ହେବ ଜନତାଙ୍କୁ ଧୋକା ଦେଇ ଆସିଛନ୍ତି । କନେକ୍ଟିଭିଟି ନାଁରେ ଅନେକ ଘୋଟାଲା କରିଛନ୍ତି । ରାସ୍ତାରେ ଗାତ ନା ଗାତରେ ରାସ୍ତା ତାହା ଜଣାପଡୁନି । ବର୍ଷା ଦିନ ଦିଲ୍ଲୀ ପୋଖରୀରେ ପରିଣତ ହେଉଛି । ଲୋକେ ଖରା ଦିନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ତେଣୁ ଏଥର କେଜ୍ରିୱାଲଙ୍କୁ ଗାଦିରୁ ହଟାଇବା ପାଇଁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ଶାହା ।