କନକ ବ୍ୟୁରୋ: ବିହାର ରାଜନୀତି ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାାଙ୍କ ବଢୁଥିବା ଆଗ୍ରହ, ରାଜନୈତିକ ପଣ୍ଡିତମାନଙ୍କୁ ବିହାର ଉପରେ ନଜର ରଖିବାକୁ ବାଧ୍ୟ କରିଛି । ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରେ, ଅମିତ ଶାହାା ଡିସେମ୍ବର ୨୦୨୪ରେ କହିଥିଲେ ଯେ, ବିହାରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଆଉ ଏବେ ଶାହାା କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସିଲେ ସେ ବିହାରରେ ଡେରା ପକାଇବେ । ତେବେ ପ୍ରଥମ ଥର ପାଇଁ ଶାହାାଙ୍କ ବୟାନ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି । 

Advertisment

ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ଅମିତ ଶାହା ବିହାରରେ ତାଙ୍କ ଡେରା ପକାଇବା ବିଷୟରେ କହିଥିଲେ। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇଛି, ଏବେ ମାତା ସୀତାଙ୍କ ମନ୍ଦିର ମଧ୍ୟ ମିଥିଳାରେ ନିର୍ମାଣ ହେବ । 

ତେବେ ଗଲା ତିନି ମାସ ମଧ୍ୟରେ ବିହାର ସମ୍ପର୍କରେ ଏହା ଅମିତ ଶାହାଙ୍କର ଦ୍ୱିତୀୟ ବକ୍ତବ୍ୟ। ପ୍ରଥମ ଥରରେ ସେ NDAର ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ବୟାନ ଦେଇଥିଲେ । ଯାହାକୁ ନେଇ JDU ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ହେଲେ ଏବେ ଶାହାାଙ୍କ ଡେରା ପକାଇବା ବୟାନ, ବିହାର ରାଜନୀତିକୁ କେଉଁ ମୋଡ ଦେଉଛି ତାକୁ ନେଇ ଚର୍ଚ୍ଚା ବଢିଛି । 

ଶାହାଙ୍କ ଡେରା ପକାଇବାର ରାଜନୈତିକ ଅଙ୍କ 

ଅମିତ ଶାହାଙ୍କୁ ବିଜେପିର ନିର୍ବାଚନ ରଣନୀତିକାର କୁହାଯାଏ। ବିଭିନ୍ନ ରାଜ୍ୟଗୁଡ଼ିକରେ ବିଜେପିର ନିରନ୍ତର ବିଜୟ ପଛରେ ଶାହାାଙ୍କ ରଣନୀତି ମୁଖ୍ୟ କାରଣ ହୋଇଛି। ୨୦୧୭ରେ ଅମିତ ଶାହାଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନର ଦାୟିତ୍ୱ ଦିଆଯାଇଥିଲା। ଆଉ ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ସେଠାରେ ଶିବିର ସ୍ଥାପନ କରିଥିଲେ। ବୁଥ୍ ସ୍ତରରେ ତାଙ୍କର ନିର୍ବାଚନ ପରିଚାଳନା ବହୁତ ପ୍ରଭାବଶାଳୀ ଥିଲା। ଯାହାଫଳରେ କି ୟୁପିରେ ବିଜେପି ସରକାର ଗଠନ ହୋଇଥିଲା। ଏବେ ଯଦି ସେ ବିହାରରେ ଶିବିର କରନ୍ତି, ତେବେ ଏହାର ଅର୍ଥ କଣ ହେଇପାରେ, ତାର ଅଙ୍କ କଷିବା ଆରମ୍ଭ କରିଛନ୍ତି ରାଜନୈତିକ ପଣ୍ଡିତମାନେ ।  

ଜେଡିୟୁ ନା ବିଜେପି ; କିଏ ହେବ ବଡ଼ ଭାଇ?

ବିହାରରେ ଏଥର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି, ଜେଡିୟୁ ଏବଂ ବିଜେପି ମଧ୍ୟରେ ସମ୍ପର୍କ । ଦୁଇ ଦଳ ଭିତରେ ଏବେ ମେଣ୍ଟ ଥିଲେ ବି, ବଡ଼ ଭାଇ ଭୂମିକାରେ କିଏ ରହିବ ତାକୁ ନେଇ ଚର୍ଚ୍ଚା ବଢିଛି । ଗତଥର ଅଧିକ ସିଟ୍ ଜିତି ମଧ୍ୟ, ମୁଖ୍ୟମନ୍ତ୍ରୀ ଆସନ ନୀତିଶଙ୍କ ପାଇଁ ଛାଡି ଦେଇଥିଲା ବିଜେପି । ବଡ଼ ଭାଇ ଭୂମିକାରେ ଥିଲେ ବି, ବିଜେପି ମୁଖ୍ୟମନ୍ତ୍ରୀ ଆସନ ଛାଡି ଦେଇଥିଲା । ହେଲେ ଯେବେଠୁ, ମହାରାଷ୍ଟ୍ରରେ ଦଳ ବଡ଼ ଭାଇ ଫର୍ମୁଲା ଆପଣାଇଛି, ସେବେଠୁ ବିହାରରେ ମଧ୍ୟ ଏହି ଫର୍ମୁଲା ଲାଗୁ ହେଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକି ନୀତିଶଙ୍କୁ ଅଡୁଆରେ ପକାଇପାରେ । 

JDUର କଣ ହେବ?

ବିହାର ରାଜନୀତିକୁ ପାଖରୁ ଦେଖିଲେ ଜଣାପଡୁଛି ଯେ, ଜେଡିୟୁ ଏବେ ଚିନ୍ତାରେ ରହିଛି । କାହିଁକି ନା, ଯଦି ବିଜେପି ନୀତିଶ କୁମାରଙ୍କୁ ପୂର୍ବପରି ଗୁରୁତ୍ୱ ନ ଦିଏ, ତେବେ ଦଳର କ'ଣ ହେବ?  କିଛି ଦିନ ହେଲା, ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ରାଜନୀତିରେ ପ୍ରବେଶ ନେଇ ଆଲୋଚନା ହେଉଛି। ନୀତିଶ ପ୍ରଥମେ ତାଙ୍କୁ ଜେଡିୟୁର କମାଣ୍ଡ ହସ୍ତାନ୍ତର କରିବେ ବୋଲି ମଧ୍ୟ ଆଲୋଚନା ହେଉଛି। ଏହାର ଅର୍ଥ, ଜେଡିୟୁ ନିଶାନ୍ତଙ୍କୁ ଜାତୀୟ ସଭାପତି କରିପାରେ। ହେଲେ ଏହା ଭିତରେ କିନ୍ତୁ ନୀତିଶ ଏବେ ନିଜର ରାଜନୈତିକ ଉତ୍ତରାଧିକାରୀକୁ ଯଥାଶୀଘ୍ର ଥଇଥାନ କରିବାରେ ବ୍ୟସ୍ତ ଥିବା ଅନୁମାନ ହେଉଛି ।