କନକ ବ୍ୟୁରୋ: ଶେଷ ହେଲା କେନ୍ଦ୍ର ଗୃହମନ୍ତ୍ରୀଙ୍କ ୨ଦିନିଆ ଛତିଶଗଡ ଗସ୍ତ। ମାଓବାଦୀଙ୍କ ସହ ଶାନ୍ତି ବାର୍ତ୍ତା ଓ ଅସ୍ତ୍ର ବିରତି ନେଇ ମୁହଁ ଖୋଲିଲେନି ଅମିତ୍ ଶାହ । ମାଓବାଦୀଙ୍କୁ ହିଂସାର ବାଟ ଛାଡି ଆତ୍ମସମର୍ପଣ ଲାଗି କଲେ ଅପିଲ୍ । ମାଓ ଦମନକୁ ଅଭିଯାନକୁ ଜୋରଦାର କରିବାକୁ ସୁରକ୍ଷା ଏଜେନ୍ସି ମାନଙ୍କୁ ଦେଲେ ନିର୍ଦ୍ଦେଶ। ଛତିଶଗଡ ପୁଲିସ ଡିଜି,  ସିଆରପିଏଫ୍, ବିଏସ୍ଏଫ୍, ଆଇଟିବିପି ଡିଜିଙ୍କୁ ନେଇ ଶନିବାର ରାୟପୁର ଠାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।  

Advertisment

ଗତକାଲି ତେଲେଙ୍ଗାନାର ଭଦ୍ରାଦି କୋତାଗୁଡେମଠାରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ କ୍ୟାଡରର ୮୬ ଜଣ ନକ୍ସଲ । ଏମାନଙ୍କ ମଧ୍ୟରେ ଅଛନ୍ତି ୬୬ ପୁରୁଷ ଓ ୨୦ ମହିଳା ନକ୍ସଲ । ଏହି ଘଟଣା ନକ୍ସଲ ମୋର୍ଚ୍ଚା ପରେ ସୁରକ୍ଷା ବଳ ଓ ସରକାରଙ୍କ ରଣନୀତିକୁ ଶକ୍ତି ଯୋଗାଇବ ବୋଲି କୁହାଯାଉଛି । 

ସୂଚନା ଅନୁସାରେ , ଏ ସମସ୍ତ ନକ୍ସଲ ଭଦ୍ରାଦି କୋତାଗୁଡେମ ମଲ୍ଟି ଜୋନ୍-୧ର ଆଇଜି ଚନ୍ଦ୍ରଶେଖାର ରେଡ୍ଡୀଙ୍କ ପାଖରେ ହେମଚନ୍ଦ୍ରପୁରମ୍ ସ୍ଥିତ ପୋଲିସ ମୁଖ୍ୟାଳୟରେ ହତିଆର ସହ ଆତ୍ମସମର୍ପଣ କରିଛନ୍ତି । ଏହି ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ । ତେବେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନ ’ ଚେୟୁଥା’ ଅପରେସନ୍ ସମୟରେ ସରକ୍ଷା ବଳକୁ ଏଭଳି ସଫଳତା ମିଳିଛି ।