କନକ ବ୍ୟୁରୋ: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା-ତାମିଲନାଡ଼ୁ ରଣଜୀ ମୁକାବିଲାର ଦ୍ବିତୀୟ ଦିନରେ ୧୪ ୱିକେଟ୍ ପତନ ଘଟିଛି । ଭ୍ରମଣକାରୀ ତାମିଲନାଡ଼ୁର ୨୮୬ ରନ୍ ଜବାବରେ ଓଡ଼ିଶା ମାତ୍ର ୧୪୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି । ଗତକାଲିର ସ୍କୋର୍ ୨୮୧/୭ରୁ ଶୁକ୍ରବାର ଖେଳ ଆରମ୍ଭ କରିଥିବା ତାମିଲନାଡ଼ୁ ୩ ଓଭର ଖେଳି ଏଥିରେ ୫ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍ ହରାଇଥିଲା । ଦେବବ୍ରତ ପ୍ରଧାନ (୨) ଓ ରାଜେଶ ମହାନ୍ତି (୧) ଏହି ୩ ୱିକେଟ୍ ବାଣ୍ଟିନେବା ସହ ବ୍ୟକ୍ତିଗତ ଭାବେ ୩ ୱିକେଟ୍ ସଫଳତା ପାଇଥିଲେ ।
ଏହା ବି ପଢ଼ନ୍ତୁ: ଏସୀୟ ଇନ୍ଡୋର୍ ଦୌଡ଼କୁଦ ଲାଗି କଳିଙ୍ଗରେ ଅଭ୍ୟାସ ଶିବିର ଆରମ୍ଭ
ଜବାବରେ ଓଡ଼ିଶା ଦ୍ବିତୀୟ ଓଭରର ପ୍ରଥମ ବଲ୍ରେ ସ୍ବସ୍ତିକ ସାମଲ (୧ ।)ଙ୍କୁ ହରାଇଥିଲା । ତାଙ୍କ ସହ ସୋନୁ ଯାଦବ ନିଜର ପ୍ରଥମ ସ୍ପେଲ୍ ୫ ଓଭର ମଧ୍ୟରେ ଶୁଭ୍ରାଂଶୁ ସେନାପତି (୧୨), ଗୋବିନ୍ଦ ପୋଦ୍ଦାର (୦) ଓ ବିପ୍ଳବ ସାମନ୍ତରାୟ (୧)ଙ୍କୁ ଆଉଟ୍ କରି ଓଡ଼ିଶାକୁ ବଡ଼ ଝଟ୍କା ଦେଇଥିଲେ । ୧୧ତମ ଓଭରରେ ଶାନ୍ତନୁ ମିଶ୍ର (୬)ଙ୍କୁ ଗୁରଜାପନୀତ ସିଂହ ଆଉଟ୍ କରିଦେବାରୁ ଓଡ଼ିଶା ୨୧/୫ରେ ସଂଘର୍ଷ କରିଥିଲା । ରାଜେଶ ଧୂପର (୮) ମଧ୍ୟ ବଡ଼ ସ୍କୋର୍ କରି ପରି ନଥିଲେ ମଧ୍ୟ ଅନିଲ ପରିଡ଼ାଙ୍କ ସହ ୨୨ ରନ୍ର ଭାଗୀଦାର ଗଢ଼ିଥିଲେ । ଧୂପରଙ୍କ ଆଉଟ୍ ପରେ ଅନିଲ ଓ ସମ୍ବିତ ପାଳି ସମ୍ବାଳିଥିଲେ । ଉଭୟ ସପ୍ତମ ୱିକେଟ୍ରେ ୫୭ ରନ୍ ଯୋଡ଼ିଥିଲେ । ଦଳୀୟ ସ୍କୋର୍ ୧୦୦ ଥିଲା ବେଳେ ସମ୍ବିତ (୩୬) ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ଦେବବ୍ରତ ପ୍ରଧାନ (୧୫)ଙ୍କ ସହ ୩୨ ରନ୍ ଯୋଡ଼ିଥିଲେ ଅନିଲ । ଧୈର୍ଯ୍ୟର ସହ ବ୍ୟାଟିଂ କରିବା ସହ ଅନିଲ ଶେଷ ୱିକେଟ୍ ଭାବେ ୫୬ ରନ୍ରେ ଆଉଟ୍ ହୋଇଥିଲେ । ତାଙ୍କୁ ସୋନୁ ଆଉଟ୍ କରି ୫ ୱିକେଟ୍ ସଫଳତା ପାଇଥିଲେ । ତାମିଲନାଡ଼ୁ ଦ୍ବିତୀୟ ପାଳି ଆରମ୍ଭ କରି ଷ୍ଟମ୍ପ୍ସ ବେଳକୁ ଗୋଟିଏ ୱିକେଟ୍ ହରାଇ ୨୬ ରନ୍ କରିଛି । ନାରାୟଣ ଜଗଦୀଶନ (୪)ଙ୍କୁ ସମ୍ବିତ ବରାଳ ଆଉଟ୍ କରିଛନ୍ତି । ଅତୀଶ ଏସ୍ଆର୍ (୧୨*) ଓ ପି ବିଦ୍ୟୁତ୍ (୭*) ବ୍ୟାଟିଂ କରୁଛନ୍ତି । ଏଥିସହ ତାମିଲନାଡ଼ୁ ୧୬୪ ରନ୍ରେ ଆଗରେ ରହିଛି ।
ସଂକ୍ଷିପ୍ତ ସ୍କୋର: ତାମିଲନାଡୁ ପ୍ରଥମ ପାଳି: ୮୬ ଓଭରରେ ୨୮୬ (ପ୍ରଦୋଷ ରଂଜନ ପଲ୍-୭୮, ସି ଆନ୍ଦ୍ରେ ସିଦ୍ଧାର୍ଥ-୫୬, ଏସ୍ଆର୍ ଅତୀଶ-୫୦, ନିଧୀଶ ରାଜଗୋପାଳ-୫୪, ଦେବବ୍ରତ ପ୍ରଧାନ-୩/୩୭, ରାଜେଶ ମହାନ୍ତି-୩/୫୧) । ଓଡ଼ିଶା ପ୍ରଥମ ପାଳି: ୫୧.୨ ଓଭରରେ ୧୪୮ (ଅନିଲ ପରିଡ଼ା-୫୬, ସମ୍ବିତ ବରାଳ-୩୬, ସୋନୁ ଯାଦବ-୫/୩୦, ତ୍ରିଲୋକ ନାଗ-୨/୩୬, ପି ବଦ୍ୟୁତ୍-୨/୧୨) । ତାମିଲନାଡ଼ୁ ଦ୍ବିତୀୟ ପାଳି: ୧୭ ଓଭରରେ ୨୬/୧ (ଅତୀଶ ଏସ୍ଆର୍-୧୨*, ପି ବିଦ୍ୟୁତ୍-୭*, ସମ୍ବିତ ବରାଳ-୧/୩)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/23/kiit-ranji-2026-01-23-21-52-23.jpg)