କନକ ବ୍ୟୁରୋ: ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା । ହେଲେ ଏହାର ପ୍ରଭାବ କିନ୍ତୁ ଭାରତୀୟ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବନି । ଏକଥା ଆମେ କହୁନୁ ବରଂ EY ଇଣ୍ଡିଆ ରିପୋର୍ଟରେ ଏହି କଥାକୁ ଆକଳନ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୩୮ ମସିହା ସୁଦ୍ଧା ଭାରତ ୩୪.୨ ଟ୍ରିଲିୟନ୍ ଡଲାର ସହିତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ । ଆମେରିକାର ଟାରିଫ୍ ଚାପ ସତ୍ତ୍ୱେ ଭାରତ ଆଗକୁ ବଢ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
EY ଇଣ୍ଡିଆ ରିପୋର୍ଟରେ କୁହାଯାଇଛି ଯେ, ତମାମ ଚ୍ୟାଲେଞ୍ଜ ପରେ ବି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି। ମଜଭୁତ ଆର୍ଥିକ ଭିତ୍ତିଭୂମି ସହିତ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଆଗାମୀ ୫ ବର୍ଷରେ ଅର୍ଥାତ ୨୦୩୦ ବେଳକୁ ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ ଆଉ ତା ପରେ ୨୦୩୮ ସୁଦ୍ଧା ଏହା ୩୪.୨ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ ବୋଲି ରିପୋର୍ଟରେ କୁହାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଆମେରିକା, ଚୀନ, ଜର୍ମାନୀ ଆଉ ଜାପାନ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଚୀନର ଅର୍ଥନୀତି ୨୦୩୦ ବେଳକୁ ୪୨.୨ ଟ୍ରିଲିୟନ୍ ଡଲାର ଛୁଇଁବା ନେଇ ଅନୁମାନ କରାଯାଉଛି । ଏପରି ହେଲେ ଚୀନ୍ ଅର୍ଥନୀତି ଏକ ନମ୍ବର ହୋଇଯିବ । ତେବେ ଚୀନ୍ ପାାଇଁ ଚ୍ୟାଲେଞ୍ଜ ହେଇଛି, ତାର ବୃଦ୍ଧ ଜନସଂଖ୍ୟା । ତେବେ ରିପୋର୍ଟରେ କିନ୍ତୁ ଆସନ୍ତା ୧୩ ବର୍ଷ ଭିତରେ ଭାରତ ବଡ଼ କମାଲ କରିବ ବୋଲି ଅନୁମାନ କରାଯାଇଛି ।