କନକବ୍ୟୁରୋ : ସାର ପାଇଁ ବିଭିନ୍ନ ସ୍ଥାନରେ ଚାଷୀ ହନ୍ତସନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଚାଷୀ ଲମ୍ବା ଲାଇନ୍ରେ ସାର ପାଇଁ ଅପେକ୍ଷା କରୁଛନ୍ତି। ଏପଟେ ବିଜେଡି ଆଜି ଏହି ପ୍ରସଙ୍ଗରେ ରାଜଭବନ ଆଗରେ ବିକ୍ଷୋଭ କରିଛି । ଏହାର ଭିତରେ ସାରର ହିସାବ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମନ୍ତ୍ରୀ କହିଛନ୍ତି, ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ମହଜୁତ ଅଛି ।
ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଣ୍ଟା ଯାଇଥିଲା । ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଣ୍ଟା ସରିଲାଣି । ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସାର ମହଜୁଦ ରହିଛି। ଆବଶ୍ୟକ ହେଲେ ଆହୁରି ସାର ମଗାଯିବ । ହେଲେ ସାର ନଥିବା ଲୋକଙ୍କ ପାଖରେ କହୁଛନ୍ତି ବିରୋଧୀ। ଚଳିତ ବର୍ଷ ଅଧିକ ଧାନ ଚାଷ କରାଯାଇଛି । ଆଗୁଆ ବର୍ଷା ଯୋଗୁଁ ଶୀଘ୍ର ସାରର ଦରକାର ହେଉଛି। ଏହା ସହ ଡିଲରଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯେଉଁଠି ସାର କଳାବଜାରୀ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୋକେ ସବୁ ଜାଣୁଛନ୍ତି, ବିଜେଡି ଯେତେ ସୋବାଜି କଲେ ଵି ଲାଭ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।