କନକ ବ୍ୟୁରୋ: କେତେବେଳେ ଯେ କ’ଣ କରିବେ ଟ୍ରମ୍ପ ସେକଥା ଜାଣିବା ଭାରି ମୁସ୍କିଲ । ଏଇ ଯେମିତି ଚାଇନାକୁ ଶତ୍ରୁ ଭାବି ବଡ଼ ଟାରିଫ୍‌ ଲଗାଇଥିବା ଆମେରିକା ଏହାକୁ ୯୦ ଦିନ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ଏହା ଏକ ଚାଲ୍‌ ନୁହେଁ ତ?

Advertisment

ଚାଇନା ଓ ଆମେରିକାର ଶତ୍ରୁତାକୁ ଅଧିକ ଉଗ୍ର କରିଥିଲା ଟାରିଫ । ଏପରିକି ୱାଂଶିଟନର ଟାରିଫର ଜବାବ ବେଜିଂ ପାଲଟା ଶୁଳ୍କରେ ଦେବାକୁ ଘୋଷଣା କରିଥିଲା । ଉଭୟ ଦେଶର ସମୟସୀମା ସରିବା ଠିକ ଦିନକ ପୂର୍ବରୁ ଟ୍ରମ୍ପ ଏକ ବଡ଼ ଘୋଷଣା କରି ଚାଇନାକୁ ୯୦ଦିନର ଆଶ୍ବସ୍ତି ଦେଇଛନ୍ତି । ନଭେମ୍ବର ପର୍ଯ୍ୟନ୍ତ ଲଗାଯିବନି ଟାରିଫ। ତେବେ କାହିଁକି ଆଭିମୁଖ୍ୟ ବଦଳାଇଲା ଆମେରିକା? କାହିଁକି ଚୀନ୍‌କୁ ଦେଲା ୩ ମାସର ସମୟ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ୍‌ ଗସ୍ତ ପୂର୍ବରୁ ଏହା ଟ୍ରମ୍ପଙ୍କ ଏକ ଚାଲ୍‌ ନୁହେଁ ତ?

ଚାଇନାକୁ ଚାରିପଟୁ ଘେରିବାକୁ ବ୍ରିକ୍ସ ଦେଶ ସମୂହ ଏକାଠି ହେଲେଣି । ପରସ୍ପର ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ବିଚାର ମଧ୍ୟ କରୁଛନ୍ତି । ଚୀନକୁ ଟାରିଫ କୋହଳ କରି ହୁଏତ ବ୍ରିକ୍ସଦେଶଙ୍କ ଯୋଜନାକୁ ଫେଲ କରିବାକୁ ଚାହୁଥିବେ ଟ୍ରମ୍ପ ।

ଚଳିତବର୍ଷ ଆମେରିକା- ଚୀନ ପରସ୍ପର ଉପରେ ଟାରିଫ୍ ବୃଦ୍ଧି କରିଥିଲେ। ଚୀନ୍‌ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଘୋଷଣା କରିଥିଲେ ଟ୍ରମ୍ପ। କିନ୍ତୁ ଗତ ମେ’ ମାସରେ ଆମେରିକା ୩୦ ପ୍ରତିଶତକୁ ଶୁଳ୍କ କମାଇ ଥିଲା। ଚୀନ୍‌ ଆମେରିକା ଉପରେ ୧୦ ପ୍ରତିଶତ ଶୁଳ୍କ ହ୍ରାସ କରିଥିଲା। ୯୦ ଦିନ ପାଇଁ ହୋଇଥିବା ଏହି ଟାରିଫ୍ ଚୁକ୍ତି ଅଗଷ୍ଟରେ ଶେଷ ହେବାକୁ ଥିଲା। ଏହାପରେ ପୁଣି ୯୦ ଦିନ ପାଇଁ ଟାରିଫ୍‌ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ଉଭୟ ଦେଶ।

ସେପଟେ ବେଜିଂରେ ମୋଦୀ ପହଞ୍ଚିବା ପୂର୍ବରୁ ଆମେରିକା ଏହି ଘୋଷଣା ଚାଇନାର ରାଗକୁ ଅଳ୍ପବହୁତ ଥଣ୍ଡା କରିପାରେ । ଟାରିଫକୁ ନେଇ ଭାରତ ଯେଉଁ କୂଟନୈତିକ କୌଶଳ ଆପଣାଉଛି ତାକୁ ବିଫଳ କରିବାକୁ ହୁଏତ ଟ୍ରମ୍ପ ଏହି ଗୋଟି ଚାଳନା କରିଥାଇପାରନ୍ତି  ବୋଲି ଚର୍ଚ୍ଚା ହେଉଛି ।