କନକବ୍ୟୁରୋ : ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ବଡ଼ ଅଭିଯୋଗ। କଂଟ୍ରାକ୍ଟ କରାଇଦେବା ପାଇଁ ଲାଞ୍ଚ ଦେଉଥିବା ଭଳି ଅଭିଯୋଗ ହୋଇଛି । ଆଦାନୀ ପ୍ରାୟ ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେବା ସହ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିବା ଜଣାପଡିଛି। ଏହି ଅଭିଯୋଗ, ଆଦାନୀ ଗ୍ରୀନ୍ ଏନର୍ଜୀ ଲିମିଟେଡ୍ ସହ ଜଡ଼ିତ ।
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଜ୍ କମିଶନ୍ ଏହି ଘଟଣାରେ ଗୌତମ ଅଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ୍ ଏନର୍ଜୀ ଲିମିଟେଡ୍ର ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛି ।
ରଏଟର୍ସର ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୀନ୍ ଏନର୍ଜୀ କମ୍ପାନୀକୁ ଭାରତର ସବୁଠାରୁ ବଡ଼ ସୌର ଶକ୍ତି ଯୋଜନାର ପ୍ରୋଜେକ୍ଟ କରାଇଦେବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୬୫ ମିଲିଅନ୍ ଡଲାର ବା ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ। ୨୦୨୦ରୁ ୨୦୨୪ ଭିତରେ ଏହି ଲାଞ୍ଚ ଦିଆ ଯାଇଛି ।
ବଡ଼ କଥା ହେଉଛି ଏହି କଂଟ୍ରାକ୍ଟ ଜରିଆରେ ୨୦ ବର୍ଷରେ ୨ ଅରବ ଡଲାରରୁ ଅଧିକ ଲାଭ କରିବାକୁ ଲକ୍ଷ୍ୟ ରଖିଥିଲା କମ୍ପାନୀ। କେବଳ ସେତିକି ନୁହେଁ, ଲାଭ ପାଇବା ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକଙ୍କୁ ମଧ୍ୟ ମିଛ ତଥ୍ୟ ଦେଇଥିବା ଆଦାନୀ ବିରୋଧରେ ଲାଗିଛି ସଙ୍ଗୀତ ଅଭିଯୋଗ। ଏହି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିବା ପରେ ଆଜି ସକାଳୁ ତଳମୁହାଁ ଚାଲିଛି ଆଦାନୀର ସବୁ ସେୟାର। ୨୦ ପ୍ରତିଶତ ଖସିଛି ଆଦାନୀ ସମୂହ ସେୟାର ।