କନକ ବ୍ୟୁରୋ: ମଙ୍ଗଳ ଗ୍ରହକୁ ଯିବେ, ଇତିହାସ ରଚିବେ  ଫେରିଲେ ଜଣେ ଶିକ୍ଷୟିତ୍ରୀ ନହେଲେ ରାଷ୍ଟ୍ରପତି ହେବେ  । ଏଭଳି ସ୍ୱପ୍ନ ଦେଖୁଥିବା ଓ ଏହାକୁ ସାକାର କରିବାକୁ କ୍ରମାଗତ ଚେଷ୍ଟା ଚଳାଇଥିବା ଝିଅ ହେଉଛନ୍ତି ଏଲିସା କାରସନ୍ ।

ଯଦି ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଏ ଯେ, ଏତେ ପରୀକ୍ଷାନୀରିକ୍ଷା ହେଉଛି ହେଲେ ମଙ୍ଗଳକୁ କ’ଣ ମଣିଷ ଯାଇପାରିବ । ଏହାର ପ୍ରଶ୍ନ ହେଉଛି ହଁ । କାରଣ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ଆମେରିକାର ୨୪ ବର୍ଷିୟା ଝିଅ ଏଲିସା କାର୍ସନ । ଏଲିସା ହେବେ ବିଶ୍ୱର ସର୍ବପ୍ରଥମ ମନୁଷ୍ୟ ଯିଏ କି ମଙ୍ଗଳ ପରି ଲାଲ ଗ୍ରହକୁ ଯିବେ, ଏଥିପାଇଁ ମାତ୍ର ୩ ବର୍ଷ ବୟସରୁ ସ୍ୱପ୍ନ ଦେଖିଆସୁଛନ୍ତି ଏଲିସା । ଏଥିପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଛନ୍ତି । 

ଯେଉଁ ବୟସରେ ପିଲାମାନେ ଖେଳ ବ୍ୟତୀତ ଆଉ କିଛି ବୁଝିବା କଷ୍ଟ ସେ ବୟସରେ ହିଁ ବିଶ୍ୱ ବ୍ରହ୍ମାଣ୍ଡର କଥା କହୁଥିଲେ ଏଲିସା । ନିଜକୁ ମହାକାଶରେ ପରିକଳ୍ପନା କରୁଥିଲେ । ସବୁ ଗ୍ରହ ମଧ୍ୟରେ ମଙ୍ଗଳ ଗ୍ରହ ତାଙ୍କର ଭାରି ପ୍ରିୟ ଥିଲା । ଏହାର ରଙ୍ଗ ତାଙ୍କୁ ବେଶ୍ ଅକୃଷ୍ଟ କରୁଥିଲା । ୨୦୦୧ ମାର୍ଚ୍ଚ ୧୦ରେ ଆମେରିକାର ଲୁସିୟାନାରେ ଜନ୍ମଲାଭ କରିଥିବା ଏଲିସାଙ୍କ ବାପା ତାଙ୍କୁ ପିଲାବେଳୁ ଗ୍ରହ , ନକ୍ଷତ୍ର ଓ ଅନ୍ତରୀକ୍ଷର କାହାଣୀ ଶୁଣାଉଥିଲେ । ଏଲିସାଙ୍କ ରହିବା ରୁମ ବିି ଏଭଳି ଭାବେ ଡିଜାଇନ କରାଯାଇଛି ସତେ ଯେପରି କେହି ମହାକାଶରେ ଘୁରିବୁଲୁଛି । ରୁମର କାନ୍ଥରେ ତାରା, ଜହ୍ନ , ଗ୍ରହ ସବୁ ଅଙ୍କାଯାଇଥିବାବେଳେ ଚଟ୍ଟାଣରେ ସ୍ପେଶ୍ ଷ୍ଟେସନ୍ ଓ ରକେଟ୍ ସବୁ ଅଙ୍କାଯାଇଥିଲା । ଏପରିକି ଏଲିସା ଶୋଉଥିବା ଶେଯରେ ମଧ୍ୟ ମହାକାଶର ପ୍ରିଣ୍ଟ ଥିଲା । କହିବାକୁ ଗଲେ ରୁମକୁ ଏଭଳି ଭାବେ ଡିଜାଇନ୍ କରାଯାଇଥିଲା ଯେପରି ତାଙ୍କ ରୁମ ପୃଥିବୀଠାରୁ ବେଶି ମହାକାଶରେ ଭାସୁଥିବା ଭଳି ଲାଗୁଥିଲା । 

ଏଲିସା ଖୁବ୍ କମ ବୟସରୁ ଜଣେ ମହକାଶ ଯାତ୍ରୀ ଟ୍ରେନି ଭାବେ ଯୋଗ୍ୟତା ହାସଲ କରିଛନ୍ତି । ଏ ସ୍ତରରେ ପହଞ୍ଚିବାର ସ୍ୱପ୍ନ ସେ ମାତ୍ର ୩ ବର୍ଷରୁ ଦେଖିବା ଆରମ୍ଭ କରିଥିଲେ । ପିଲାବେଳେ ବାପା ବର୍ଟ  କାର୍ସନଙ୍କ ସହ  ‘ଦି ବ୍ୟାକୟାର୍ଡିଙ୍ଗାନ୍ସ’ କାର୍ଟୁନ ଦେଖୁଥିଲେ, ଯେଉଁଥିରେ କେବଳ ମହାକାଶଚାରୀଙ୍କ କାହାଣୀ ପ୍ରଦର୍ଶୀତ ହେଉଥିଲା । ଏହି କାର୍ଟୁନ ଶୋରେ ୫ଟି ପଶୁଙ୍କ ଏକ ଟିମ୍ ନିଜ ବ୍ୟାକୟାର୍ଡରୁ ଆଡଭେଞ୍ଚରରେ ଯାଉଥିଲେ । ଏହି ଆଡଭେଞ୍ଚର ଯାତ୍ରାରେ ସେମାନେ ଯାଇ ପହଞ୍ଚିଥିଳେ ମଙ୍ଗଳ ଗ୍ରହରେ । ଏହାକୁ ଦେଖୁ ଦେଖୁ ସବୁ ଗ୍ରହକୁ ଛାଡି ଲାଲ ରଙ୍ଗର ମଙ୍ଗଳ ଗ୍ରହରେ ହିଁ ଏଲିସାଙ୍କର ଆଗ୍ରହ ବଢିଥିଲା । ଏହାପରେ ସେ ମଙ୍ଗଳ ଗ୍ରହରେ ରୋଭର ଲ୍ୟାଣ୍ଡିଙ୍ଗର ଭିଡିଓ ସବୁ ଦେଖିବା ଆରମ୍ଭ କଲେ । ତାଙ୍କ ରୁମରେ ମଙ୍ଗଳ ଗ୍ରହର ବିରାଟ ବଡ ପୋଷ୍ଟର ଲାଗିଥିଲା । ଯାହାକୁ ଅନେକ ସମୟରେ ଏକ ଲକ୍ଷ୍ୟରେ ଚାହିଁ ରହୁଥିଲେ । ଝିଅର ଗ୍ରହ ନକ୍ଷତ୍ରରେ ଆଗ୍ରହକୁ ଲକ୍ଷ୍ୟ କରି ତାଙ୍କ ବାପା ଝିଅ ଏଲିସାକୁ ଏକ ଟେଲିସ୍କୋପ ଉପହାରରେ ଦେଇଥିଲେ । ଫଳରେ ଏଲିସା ନିକଟରୁ ଅନ୍ତରୀକ୍ଷ ଜଗତକୁ ଦେଖିପାରିବ ।େ

ଯେତେବେଳେ ଏଲିସାଙ୍କୁ ୮ ବର୍ଷ ହୋଇଥିଲା ଏଲିସାଙ୍କ ବାପା ତାଙ୍କୁ ହଣ୍ଟସବିଲେ, ଅଲବାମାରେ ଆୟୋଜିତ ସ୍ପେଶ୍ କ୍ୟାମ୍ପକୁ ନେଇଯାଇଥିଲେ । ଏହି କ୍ୟାମ୍ପ ଏଲିସାଙ୍କୁ ଏତେ ଭଲ ଲାଗିଥିଲା ସେ ୧୩ ଥର ଏହାକୁ ପରିକ୍ରମା କରିଥିଲେ । ଏଠାରେ ପ୍ରଥମ ଥର ପାଇଁ ଲାଇଫ୍ ସାଇଜ୍ ରକେଟ ଦେଖିଥିଲେ ଏଲିସା । ୧୨ ବର୍ଷ ହେବାଯାଏଁ ନାସାର ସମସ୍ତ ୩ଟି ସ୍ପେଶ୍ କ୍ୟାମ୍ପରେ ଭାଗ ନେଇ ଇତିହାସ ସୃଷ୍ଟି କରିଥିଲେ ଏଲିସା । ତାଙ୍କ ପୂର୍ବରୁ ଅନ୍ୟ କୌଣସି ପିଲାଙ୍କୁ ଏହି ସୁଯୋଗ ମିଳିନଥିଲା । ୨୦୧୩ ମଧ୍ୟରେ ଏଲିସା ସମସ୍ତ ୧୪ ନାସା ଭିଜିଟର ସେଣ୍ଟର ବୁଲି ସାରିଥିଲେ ।  ନାସା ପାସପୋର୍ଟ ପ୍ରୋଗ୍ରାମର ସାମିଲ ହେବାରେ ଏଲିସା ଥିଲେ ପ୍ରଥମ ଝିଅ । ୧୩ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ଯିବାକୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତତ କରିସାରିଥିଲେ ଏଲିସା । 

ଏଲିସାଙ୍କ ଜୀବନ ଶୈଳୀ ମଧ୍ୟ ଅନ୍ୟ ପିଲାଙ୍କଠାରୁ ଅଲଗା ଥିଲା । ତାଙ୍କର ବେଶି ସାଙ୍ଗସାଥୀ ନଥିଲେ । ସେ ଖେଳକୁଦରେ ସମୟ କାଟିିବାକୁ ଭଲ ପାଉନଥିଲେ । ନିଜକୁ ଜଣେ ମହାକାଶଚାରୀ ଭାବେ ଚିନ୍ତା କରୁଥିଲେ । ମହାକାଶଚାରୀଙ୍କ ଭଳି ସେ ଖୁବ୍ କମ୍ ଖାଦ୍ୟ ଖାଉଥିଲେ । ସେ ଅଧିକାଂଶ ସମୟ ପଢାପଢିରେ ବିତାଉଥିଲେ । ଏବେ ସେ ଫ୍ଲୋରିଡାର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଆଷ୍ଟ୍ରୋବାୟୋଲୋଜି ପଢୁଛନ୍ତି । 

ଯେତେବେଳେ ଏଲିସାଙ୍କୁ ୩୨ ବର୍ଷ ହେବ ତାଙ୍କୁ ନାସା ମଙ୍ଗଳ ମିଶନରେ ସାମିଲ ହେବେ ।  କିଛି ମହକାଶଚାରୀଙ୍କ ସହ ସେ ମଙ୍ଗଳ ଯିବେ । ସେଠାରେ ବିଭିନ୍ନ ପରିକ୍ଷାନୀରିକ୍ଷା ପାଇଁ  ୩ ବର୍ଷ ରହିବାର ଯୋଜନା ରହିଛି । କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ  ଆଜିଯାଏଁ କୌଣସି ମଣିଷ ମଙ୍ଗଳରେ ପାଦ ଥାପି ପାରିନାହାଁନ୍ତି । ଯଦି ଏଲିସା ମଙ୍ଗଳରେ ପହଞ୍ଚନ୍ତି ହେଲେ ସେଠାରୁ ଆଉ ଜୀବିତ ଫେରିବେ କି ନାହିଁ ଜଣାନାହିଁ । କିନ୍ତୁ ଯଦି ସକୁଶଳେ ପୃଥିବୀକୁ ଫେରନ୍ତି ତାହଲେ ଜଣେ ଶିକ୍ଷୟିତ୍ରୀ
ନଚେତ୍ ଆମେରିକାର ରାଷ୍ଟ୍ରପତି ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି  ଏଲିସା କାରସନ୍ ।