କନକ ବ୍ୟୁରୋ: ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ହେଲେ ପାସପୋର୍ଟ ବା ଭିସା ଥିବା ଦରକାର । ବିନା ପାସପୋର୍ଟରେ ଯାତ୍ରା କରିବା ସମ୍ଭବ ନୁହେଁ । ପ୍ରତିବର୍ଷ କେଉଁ ଦେଶର ପାସପୋର୍ଟ ରାକିଂ କେତେ ସେନେଇ ବି ରିପୋର୍ଟ ଆସେ । ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଯାଏ କାହାର ପାସପୋର୍ଟ କେତେ ଶକ୍ତିଶାଳୀ । ଆଉ ଏବେ ରାକିଂ ରିପୋର୍ଟ ଆସିବା ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି କି, ଏଥର ବି ସିଙ୍ଗାପୁର ନମ୍ୱର ୱାନରେ ରହିଛି । ଅର୍ଥାତ୍‌ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର ବୋଲି ଜଣାପଡ଼ିଛି । ଅବଶ୍ୟ ସିଙ୍ଗାପୁର ପାଇଁ ଏହା ନୂଆ କଥା ନୁହେଁ । ହେଲେ ଏଥର ସିଙ୍ଗାପୁର ଏମିତି ଏକ ଦେଶ ଯିଏ କି କେବଳ ନମ୍ୱର ୱାନରେ ରହିଛି । ପୂର୍ବବର୍ଷ ଏହି ରାଙ୍କରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ସ୍ପେନ ଥିଲେ । 

Advertisment

ଭିସା ରାଙ୍କ ଏହା ଦର୍ଶାଇଥାଏ କି ସେହି ଦେଶକୁ କେତେ ସଂଖ୍ୟାର ଲୋକ ବା କେତେକ ଦେଶର ଲୋକ ବିନା ଭିସାରେ ଯାତ୍ରା କରିପାରିବେ ଏବଂ କେତେ ସଂଖ୍ୟା ବା ଦେଶର ଲୋକ ଭିସା ବିନା ଯାତ୍ରା କରିପାରିବେ ନାହିଁ। ସୂଚନା ଅନୁସାରେ ଯେଉଁ ସିଙ୍ଗାପୁରର ନାଗରିକଙ୍କ ପାଖରେ ପାସପୋର୍ଟ ଥିବ ସେମାନେ ବିନା ଭିସାରେ ୧୯୫ ଦେଶ ଯାତ୍ରା କରିପାରିବେ । ସିଙ୍ଗାପୁର ନମ୍ୱର ୱାନରେ ଥିବା ବେଳେ ଜାପାନ ନମ୍ୱର ୨ରେ ରହିଛି । ତେଣୁ ଜାପାନବାସୀ ୧୯୩ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ସେହିପରି ତୃତୀୟ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ, ଫ୍ରାନ୍ସ , ଜର୍ମାନୀ, ଇଟାଲୀ, ଦକ୍ଷିଣ କୋରିଆ ଓ ସ୍ପେନ । ତେଣୁ ଏମାନଙ୍କ ନାଗରିକମାନେ ୧୯୨ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ୪ର୍ଥ ସ୍ଥାନରେ ରହିଛି, ଅଷ୍ଟ୍ରିଆ, ଡେନମାର୍କ, ଆୟରଲ୍ୟାଣ୍ଡ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ନରୱେ ଓ ସ୍ବିଡେନ୍‌ । 

କେତେ ନମ୍ୱରରେ ଅଛି ଭାରତ-ପାକିସ୍ତାନ ?

ବିଶ୍ବର ବିଭିନ୍ନ ଦେଶର ପାସପୋର୍ଟ ରାକିଂ ଆସିବା ପରେ ଏବେ ଭାରତ ଓ ପଡ଼ୋଶୀ ପାକିସ୍ତାନକୁ ନେଇ ଏବେ ଭାରି ଚର୍ଚ୍ଚା । ସାଧାରଣତଃ ଭାରତ ଓ ପାକିସ୍ତାନ କଥା ସାମ୍ନାକୁ ଆସିଲେ ଭାରତ ହିଁ ଆଗରେ ଥାଏ । ଠିକ୍‌ ସେମିତି ପାସପୋର୍ଟ ରାକିଂରେ ବି ଭାରତ ପାକିସ୍ତାନ ଆଗରେ ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୂର୍ବବର୍ଷ ଭାରତ ପାସପୋର୍ଟ ରାକିଂରେ ୮୫ ନମ୍ବରରେ ଥିବା ବେଳେ ଏଥର ଉପରକୁ ଉଠି ୮୦ରେ ପହଞ୍ଚିଛି । ତେଣୁ ଭାରତୀୟମାନେ ବିନା ଭିସାରେ ଅର୍ଥାତ୍‌ ପାସପୋର୍ଟରେ ୬୨ଟି ଦେଶକୁ ସହଜରେ ଯାତ୍ରା କରିପାରିବେ । ଠିକ୍‌ ସେହିପରି ପାକିସ୍ତାନ ପୂର୍ବବର୍ଷ ଯେତିକି ନମ୍ୱରରେ ପାସପୋର୍ଟର ରାଙ୍କ ଥିଲା ଏଥର ଆହୁରି ତଳକୁ ଖସିଯାଇଛି । ଅର୍ଥାତ୍‌ ୧୦୧ରେ ପୂର୍ବରୁ ଥିବା ବେଳେ ଏଥର ରାଙ୍କ ରହିଛି ୧୦୩ । ତେଣୁ ପାକିସ୍ତାନୀମାନେ କେବଳ ୩୪ ଦେଶକୁ ପାସପୋର୍ଟ ନେଇ ଯାତ୍ରା କରିପାରିବେ । 

କାହା ରାକିଂ ସବୁଠୁ କମ୍‌

ପାସପୋର୍ଟ ରାକିଂରେ ସିଙ୍ଗାପୁର ନମ୍ୱର ୱାନରେ ଥିବା ବେଳେ ସବୁଠୁ ଦୟନୀୟ ସ୍ଥିତି ଆଫଗାନିସ୍ତାନର ରହିଛି । ଆଫଗାନିସ୍ତାନର ରାକିଂ ୧୦୬ରେ ରହିଛି । ଠିକ୍‌ ସେହିପରି ସିରିଆର ରାଙ୍କ ୧୦୫, ଇରାକ ୧୦୪, ଯେମେନ ଓ ପାକିସ୍ତାନର ରାକିଂ ରହିଛି ୧୦୩ । ପାକିସ୍ତାନର ସ୍ଥିତି ଏମିତି ଅଛି ଯେ ବାଂଲାଦେଶ, ସୋମାଲିଆ, ନେପାଳ, ଉତ୍ତର କୋରିଆ ଓ ଲିବିଆଠୁ ବି ପଛରେ ରହିଛି । କଥା ହେଲା, ପାକିସ୍ତାନ ବର୍ତ୍ତମାନ ସମୟରେ ଆର୍ଥିକ ଅନାଟନ ଓ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ତେଣୁ ଏମିତି ସ୍ଥିତିରେ ପାସପୋର୍ଟ ରାକିଂରେ ଖରାପ ପ୍ରଦର୍ଶନ ଦେଶର ଶାସନ କ୍ଷମତାକୁ ନେଇ ପ୍ରଶ୍ନ ଉଠିଛି ।