କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଓ ପଶ୍ଚିମ ଏସିଆର ଆକାଶରେ ଯୁଦ୍ଧ ବିମାନ ପଇଁତରା ମାରୁଛି । ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ଏବେ ଖୋଦ୍ ଆମେରିକା ଉପରେ ଭାରୀ ପଡ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଭୁଲ ରଣନୀତି ଆଜି ନିଜ ଗଳାରେ ଛନ୍ଦି ହୋଇଯାଇଛି । ବିଶେଷଜ୍ଞଙ୍କ କହିବା କଥା ଆମେରିକା ନିଜ ଦେଶର ଷ୍ଟାଟେଜିକ ପେଟ୍ରୋଲିୟମ ରିଜର୍ଭ ଭରିବାର ଯେଉଁ ସୁଯୋଗ ଥିଲା ତାକୁ ହାତଛଡ଼ା କରିଛି । ଯେବେ ତେଲର ଦାମ କମ୍ ଥିଲା ସେତେବେଳେ ଟ୍ରମ୍ପ ପ୍ରଶାସନ ତୈଳ ଭଣ୍ଡାର ଭରି ନଥିଲା, ଯେତେବେଳେ ଇରାନ ସହ ଯୁଦ୍ଧ ଆରମ୍ଭ ହୋଇଗଲା ସେତେବେଳେ ଆମେରିକା ପାଖରେ ଜରୁରୀକାଳୀନ କାମ ପାଇଁ ତେଲ ନାହିଁ । ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ମୁତାବକ ଆମେରିକା ଏବେ ଏକ ବଡ଼ ତୈଳ ସଂକଟ ଦେଇ ଗତି କରୁଛି । ସାଧାରଣ ଜନତାଙ୍କ ଉପରେ ଏହାର ବୋଝ ବଢ଼ୁଥିବା ତୈଳ ଦାମ୍ ରୂପରେ ଦେଖିବାକୁ ମିଳିଛି । 

Advertisment

ଅଧିକ ପଢ଼ନ୍ତୁ:ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କ୍ୟୁବା , ଇରାନ ଯୁଦ୍ଧ ବନ୍ଦ କରି ବୁଝାମଣା କରିବାକୁ ଚାହୁଁଥିବା ଟ୍ରମ୍ପଙ୍କ ଦାବି

ଆମେରିକାର ଷ୍ଟାଟେଜିକ ପେଟ୍ରୋଲିୟମ ରିଜର୍ଭ ୧୯୭୪ ମସିହାରେ ନିର୍ମାଣ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା କି ଯୁଦ୍ଧ ସଂକଟ ସମୟରେ ଦେଶରେ ତୈଳ ଯୋଗାଣରେ ଯେଭଳି କୌଣସି ଅସୁବିଧା ହେବ ନାହିଁ । ଜୋ-ବାଇଡେନ୍ ତାଙ୍କ କାର୍ଯ୍ୟକାଳରେ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପେଟ୍ରୋଲ ଦାମ ନିୟନ୍ତ୍ରଣ କରିବାକୁ ଏହି ଷ୍ଟାଟେଜିକ ପେଟ୍ରୋଲିୟମ ରିଜର୍ଭରୁ ବହୁମାତ୍ରାରେ ତୈଳ କାଢ଼ି ନେଇଥିଲେ । ସେପଟେ ଟ୍ରମ୍ପ କ୍ଷମତାକୁ ଆସିବା ପରେ କହିଥିଲେ କି ଷ୍ଟାଟେଜିକ ପେଟ୍ରୋଲିୟମ ରିଜର୍ଭକୁ ସେ ପୂର୍ଣ୍ଣ କରିଦେବେ । ହେଲେ ରିପୋର୍ଟ କହୁଛି କି, ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଆଜି ସ୍ଥିତି କହୁଛି କି, ଆମେରିକାର ଏହି ଷ୍ଟାଟେଜିକ ପେଟ୍ରୋଲିୟମ ରିଜର୍ଭ ନିଜର ମୋଟ କ୍ଷମତା ୭୧.୪ କୋଟି ବାରେଲ ମୁକାବିଲାରେ ମାତ୍ର ୪୧.୫ କୋଟି ବାରେଲରେ ସୀମିତ ହୋଇଯାଇଛି । ଆମେରିକାର ଆବଶ୍ୟକତାକୁ ହିସାବ କଲେ ଏହି ତୈଳ ମାତ୍ର ୨୦ ଦିନ ମଧ୍ୟରେ ଶେଷ ହୋଇଯିବ । 

ଅଧିକ ପଢ଼ନ୍ତୁ:ସଙ୍କଟ ସମୟରେ ପୁଣି ସାଥ୍ ଦେଲା ରୁଷ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଲା ତୈଳ ଗ୍ୟାରେଣ୍ଟି

ଆମେରିକା ଡିପାର୍ଟମେଣ୍ଟ ଅଫ୍ ଏନର୍ଜି ମୁତାବକ ଖାଲି ପଡ଼ିଥିବା ଷ୍ଟାଟେଜିକ ପେଟ୍ରୋଲିୟମ ରିଜର୍ଭ ଭରିବାକୁ ହେଲେ ପାଖା ପାଖି ୨୦ ବିଲିୟନ ଡଲାରର ଆବଶ୍ୟକ ରହିଛି । ସେପଟେ ଟେକ୍ସାସ ଓ ଲୁଝସିୟାନାରେ ନିର୍ମାଣ ହେଉଥିବା ଭୂତଳ ଷ୍ଟୋରେଜ କାମ ଅଧାରେ ଅଟକି ରହିଛି । ଅର୍ଥ ଅଭାବ କାରଣରୁ ରିଫିଲିଂ କାମ ବି ହୋଇପାରିନି ।  ଏନେଇ ଡେମୋକ୍ରାଟିକ ସାଂସଦ ସୀନ କାଷ୍ଟନ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଟ୍ରମ୍ପ ଇରାନର ରାଜନୈତିକ ସ୍ଥିତି ଓ ଇରାନର ଆକ୍ରମଣ ନେଇ ଅନୁମାନ କରିପାରିନାହାନ୍ତି । ଟ୍ରମ୍ପ ଦେଶର ସୁରକ୍ଷା ଠାରୁ ରାଜନୀତିକୁ ଅଧିକ ମହତ୍ୱ ଦେଇଛନ୍ତି । ଯାହାର ପରିଣାମ ଏବେ ଆମେରିକାବାସୀ ଭୋଗୁଛନ୍ତି । ଏହାସହ ଦେଶରେ ପେଟ୍ରୋଲର ଦାମ ୯ ପ୍ରତିଶତ ବୃଦ୍ଧି ପାଇଛି ।