କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ହେଲା, ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏଥିଲାଗି ପ୍ରସ୍ତୁତି ବି ସରିଛି । ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କୁ ଏନେଇ ନିମନ୍ତ୍ରଣ ବି ମିଳିଛି । ଏହି ନିମନ୍ତ୍ରଣରେ ଚୀନ ବି ରହିଛି । କାରଣ ଆମେରିକା ସହ ଚୀନର ସମ୍ପର୍କ କେମିତି ତାହା ପୁରା ବିଶ୍ବ ଜାଣିଛି । ଏହାପରେ ବି ଜୀନପିଙ୍ଗଙ୍କୁ ନିମନ୍ତ୍ରଣ ମିଳିଛି । ଅବଶ୍ୟ ସେ ଆମେରିକା ଗସ୍ତ କରିବାର ସମ୍ଭାବନା ନାହିଁ ବରଂ ଚୀନ ପକ୍ଷରୁ ଉପରାଷ୍ଟ୍ରପତି ଆମେରିକା ଗସ୍ତର ସୂଚନା ରହିଛି । ହେଲେ ଟ୍ରମ୍ପ କିନ୍ତୁ ଚୀନ ସହ ସମ୍ପର୍କ ସୁଧାରିବାକୁ ଚିନ୍ତା କରୁଛନ୍ତି । ଶପଥ ନେବା ପରେ ଚୀନ ଗସ୍ତରେ ଯିବାକୁ ଚାହୁଁଛନ୍ତି ଟ୍ରମ୍ପ ବୋଲି ନିଜର ସହଯୋଗୀଙ୍କୁ କହିଛନ୍ତି । 

Advertisment

ମାଷ୍ଟର ପ୍ଲାନ କରୁଛନ୍ତି ଟ୍ରମ୍ପ
ଗୋଟିଏ ନିଶାନାରେ ଭାରତ-ଚୀନକୁ କରିବେ ନିଜର
ଆମେରିକା ପ୍ଲାନ, ଇଣ୍ଡିଆ ଭଲରେ ବୁଝିଛି

ଚୀନ ଗସ୍ତରେ ଯିବେ ଟ୍ରମ୍ପ
ସୁଧୁରିବ ୱାସିଂଟନ୍‌- ବେଜିଂ ସମ୍ପର୍କ

ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଚୀନ ଉପରେ ବ୍ୟବସାୟିତ ଶୁଳ୍କ ବୃଦ୍ଧି କରିଥିଲେ ଟ୍ରମ୍ପ । ଖାଲି ଏତିକି ନୁହେଁ କେବଳ ଚୀନ ଲାଗି ପୁରା ବିଶ୍ବରେ କରୋନା ବ୍ୟାପିଥିବା ଅଭିଯୋଗ କରିଥିଲେ ଟ୍ରମ୍ପ । ଯାହାକୁ ନେଇ ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ହେଲେ ଟ୍ରମ୍ପ ଚୁପ୍‌ ବସିନଥିଲେ ବରଂ ରାଷ୍ଟ୍ରପତି ଭାବରେ ଦ୍ବିତୀୟ ଥର ଲାଗି ନିର୍ବାଚିତ ହେବା ପରେ ଚୀନକୁ ଟାର୍ଗେଟ୍‌ କରିଥିଲେ ଆଉ କହିଥିଲେ, ଚୀନ ଉପରେ ପୁଣି ଥରେ ବ୍ୟବସାୟିକ ଶୁଳ୍କ ବୃଦ୍ଧି କରିବେ ବୋଲି । ହେଲେ ଟ୍ରମ୍ପ ଏବେ ଚୀନ ପ୍ରତି ନରମ ମନୋଭାବ କାହିଁକି ଦେଖାଇଲେ ତାହାକୁ ନେଇ ଚର୍ଚ୍ଚା ଜୋର । 

ଶପଥ ନେବା ପରେ ଭାରତ ଆସିବେ ଟ୍ରମ୍ପ
ମୋଦିଙ୍କୁ ଭଲବନ୍ଧୁ ମାନିଛନ୍ତି ଡୋନାଲ୍ଡ

ଆମେରିକାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଭାରତ ସହ ସମ୍ପର୍କ ନିବିଡ କରିଥିଲେ । ମୋଦିଙ୍କ ଆମେରିକା ଗସ୍ତ ବେଳେ ଟ୍ରମ୍ପ ସରକାର ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଖାଲି ଏତିକି ନୁହେଁ ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ । ଏହାପରେ ଦ୍ବିତୀୟ ଥର ରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ଲଢିବା ପୂର୍ବରୁ ମୋଦିଙ୍କ ସମ୍ପର୍କରେ ସେ କହିଥିଲେ, ମୋଦି ମୋର ଜଣେ ଭଲବନ୍ଧୁ । ତାଙ୍କର ଚିନ୍ତାଧାରା ଅଭୂତପୂର୍ବ । ତାଙ୍କ ଭାଷଣ ଶୁଣିବାକୁ ଯେଉଁପରି ଭାବରେ ଲୋକ ହେଉଛନ୍ତି ବୋଧହୁଏ ମୋ ରାଜନୈତିକ କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ଜନସମାଗନ ହେବ ନାହିଁ । ଟ୍ରମ୍ପଙ୍କ ଏମିତି କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି, ଭାରତ ସହ ତାଙ୍କର ସମ୍ପର୍କ କେମିତି । ତେଣୁ ରାଷ୍ଟ୍ରପତି ହେବା ପରେ ଭାରତ ଆସୁଥିବା କଥା କିଛି ଆଶ୍ଚର୍ଯ୍ୟ ନୁହେଁ । 

ଜିନପିଙ୍ଗଙ୍କ ସହ ଫୋନ୍‌ରେ କଥା ହେଲେ ଟ୍ରମ୍ପ
ଶପଥ ଗ୍ରହଣ ଉତ୍ସବକୁ ଆସୁଛନ୍ତି ଚୀନ ଉପରାଷ୍ଟ୍ରପତି

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜିନପିଙ୍ଗ ସହ ଟ୍ରମ୍ପ ଫୋନ୍‌ରେ କଥା ହୋଇଛନ୍ତି । ଏବଂ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି ଜିନପିଙ୍ଗ । ସେଇଥି ଲାଗି ତ ପ୍ରଥମଥର କୌଣସି ରାଷ୍ଟ୍ରୀୟ ନେତା ଆମେରିକା ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଗସ୍ତ କରୁଛନ୍ତି । ଇତିହାସ କହୁଛି, କୌଣସି ବିଦେଶ ରାଷ୍ଟ୍ର ନେତାଙ୍କ ଶପଥ ଗ୍ରହଣ ଉତ୍ସବରେ ଚୀନ ସାମିଲ ହୁଏ ନାହିଁ । ହେଲେ ଆମେରିକା ରାଷ୍ଟ୍ରପତିଙ୍କ ସମାରୋହରେ ଏଥିରେ ବ୍ୟତିକ୍ରମ ଦେଖାଯାଉଥିବାରୁ ଉଭୟ ରାଷ୍ଟ୍ରର ସମ୍ପର୍କରେ ସୁଧାର ଆସୁଥିବା ଚର୍ଚ୍ଚା । ସେପଟେ, ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ର ଏସ ଜୟଶଙ୍କର ଆମେରିକା ଗସ୍ତ କରୁଛନ୍ତି । 

ଚୀନ ଉପରେ ଭାରି ପଡ଼ିବ ଆମେରିକା

ଚୀନ ରାଷ୍ଟ୍ରପତିଙ୍କ ସହ କଥା ହେବା ପରେ ଟ୍ବିଟ କରିଛନ୍ତି ଟ୍ରମ୍ପ । କହିଛନ୍ତି, ଜିନପିଙ୍ଗଙ୍କ ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଲା । ବିଭିନ୍ନ କ୍ଷେତ୍ରରେ ଆମେ ମିଶିକି କାମ କରିବୁ । ଏହାସହ ସେ କହିଛନ୍ତି, ବିଶ୍ବରେ ଏବେ  ଶାନ୍ତି ବଜାୟ ରଖିବାର ଆବଶ୍ୟକତା ରହିଛି । ହେଲେ ବ୍ୟବସାୟିତ ଆମଦାନୀ ଶୁଳ୍କ କମିବ ନାହିଁ ପରୋକ୍ଷରେ ଟ୍ରମ୍ପ କହିଥିବାରୁ ଆମେରିକା ଚାପରେ ଚୀନ ନଇଁବ ବୋଲି କୁହାଯାଉଛି ।