କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଋଷକୁ ନେଇ କଟାକ୍ଷ କରିଛନ୍ତି । ଭାରତ ବିରୋଧରେ ୨୫ ପ୍ରତିଶତ ଟାରିଫ୍ ଲଗାଇବା ପରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଭାରତ ଋଷ ସହ କ'ଣ କରୁଛି ସେଥିରେ ମୋତେ କୌଣସି ଫରକ ପଡିବ ନାହିଁ । ଏହି ଦୁଇଦେଶ ସେମାନଙ୍କର ମୃତ ଅର୍ଥନୀତିକୁ ନେଇ ବୁଡ଼ିବାକୁ ଯାଉଛନ୍ତି । ଏହା ସହ ଭାରତ ସହିତ ବ୍ୟବସାୟକୁ ନେଇ ମଧ୍ୟ ଟ୍ରମ୍ପ କହିଛନ୍ତି ଭାରତ ସହିତ ଆମେରିକାର ବହୁତ କମ୍ ବ୍ୟବସାୟ ରହିଛି । କାରଣ ଭାରତ ଅନ୍ୟ ଦେଶମାନଙ୍କ ଉପରେ ଯେଭଳି ଟାରିଫ୍ ଲଗାଉଛି ସେଥିପାଇଁ ଭାରତ ସହ ଅନେକ ଦେଶର ବ୍ୟବସାୟ କମିଛି । ସେ ଭାରତର ବାଣିଜ୍ୟ ନୀତିକୁ କଠିନ ଓ ବିରକ୍ତିକର ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି, ଭାରତ ସହ ଆମେରିକା ବାଣିଜ୍ୟ କରିବାରେ ବିଶେଷ କିଛି ଲାଭ ହେଉନାହିଁ ।
ଏହି ପୋଷ୍ଟରେ ଟ୍ରମ୍ପ ଋଷକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ ଋଷର ପୂର୍ବତନ ରାଷ୍ଟ୍ରପତି ଦ୍ରମିତ୍ରୀ ମେଦବେଦେବଙ୍କୁ ଜଣେ ବିଫଳ ରାଷ୍ଟ୍ରପତି କହିବା ସହ ଟ୍ରମ୍ପ କହିଛନ୍ତି ଋଷ ଏବେ ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ପାଦ ଦେଇଛି ।
ଟ୍ରମ୍ପଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଛି । ଏହାସହ ଋଷ ସହିତ କଳି ଚରମ ସୀମାରେ ପହଂଚିଛି । ଭାରତ ଋଷ ଠାରୁ ତେଲ ଓ ପ୍ରତିରକ୍ଷା ସାମଗ୍ରୀ କିଣୁଛି । ଟ୍ରମ୍ପଙ୍କ ଏଭଳି ବୟାନକୁ ନିର୍ବାଚନୀ ମୁଦ୍ଦା ବୋଲି ମଧ୍ୟ କୁହାଯାଉଛି । ସେପଟେ ଟ୍ରମ୍ପଙ୍କ ଏଭଳି ବୟାନ ଉପରେ ଭାରତ ସରକାରଙ୍କ ତରଫରୁ କୌଣସି ବୟାନ ଦିଆଯାଇନାହିଁ ।
ସେପଟେ ଟ୍ରମ୍ପ ପ୍ରଶାସନ ଏବେ ଇରାନ ପେଟ୍ରୋକେମିକାଲ ବ୍ୟବସାୟକୁ ଟାର୍ଗେଟ୍ କରିଛି । ଏହି କ୍ରମରେ ଭାରତର ୬ ଟି କମ୍ପାନି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି କମ୍ପାନିଗୁଡିକ ଇରାନରୁ ଆସୁଥିବା ପେଟ୍ରୋକେମିକାଲ ଉତ୍ପାଦର ମହତ୍ୱପୂର୍ଣ୍ଣ କିଣା ବିକାରେ ସାମିଲ ଅଛନ୍ତି ।