କନକ ବ୍ୟୁରୋ: ଏଲିଏନ । ଅନ୍ୟଗ୍ରହର ଜୀବକୁ ନେଇ ବିଶ୍ବରେ ଭାରି ଚର୍ଚ୍ଚା ଚାଲେ । ଅନେକ ଦାବି କରନ୍ତି ଏଲିଏନ ଅଛନ୍ତି । ସେମାନେ ପୃଥିବୀକୁ ବି ଆସନ୍ତି । ଏଲିଏନକୁ ନେଇ ବଲିଉଡ୍‌ରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି କେମିତି ପୃଥିବୀ ପୃଷ୍ଠରୁ ସିଗ୍ନାଲ ପାଇବା ପରେ ସେମାନେ ଆସୁଛନ୍ତି । ଅବଶ୍ୟ ଏହା ଏକ ମନୋରଂଜନର ଖୁରାକ ଥିଲା । କିନ୍ତୁ ସତରେ ଏଲିଏନ ଅଛନ୍ତି କି ନାହାନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିନି । ହେଲେ ବି ଏଲିଏନ ଥିବା ଅନେକ ବୈଜ୍ଞାନିକ ଦାବି କରନ୍ତି । ଏବେ କିନ୍ତୁ ଆମେରିକାର ଜଣେ ସାଂସଦ ଦାବି କରିଛନ୍ତି କି ଗଭୀର ସମୁଦ୍ରରେ ଏଲିଏନ ଚଳପ୍ରଚଳ କରୁଛନ୍ତି । ସତରେ ଯଦି ଏଲିଏନ ଅଛନ୍ତି ତାହାଲେ ଏନେଇ କାହିଁକି ସ୍ପଷ୍ଟ ସୂଚନା ଦିଆଯାଉନାହିଁ ସେନେଇ ବି ସେ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ବିଶ୍ବରେ ଚର୍ଚ୍ଚା ଜୋର ।

Advertisment

ଆମେରିକା ସାଂସଦଙ୍କ ବଡ଼ ଦାବି
ସମୁଦ୍ର ଭିତରେ ରହୁଛନ୍ତି ଏଲିଏନ 
ଆମେରିକା ସାଂସଦଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା
କହିଲେ, ସମୁଦ୍ରରେ ବୁଲୁଛି ଏଲିଏନଙ୍କ ଯାନ

ଆମେରିକାରେ ଏବେ ନୂଆ ସରକାର । ଦ୍ବିତୀୟ ଥର ଲାଗି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହୋଇଛନ୍ତି । ଆଉ ତାଙ୍କ ଦଳର ଜଣେ ସାଂସଦ ଏଲିଏନକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସେ କହିଛନ୍ତି, ତାଙ୍କୁ ସୂଚନା ମିଳିଛି କି, ଗଭୀର ସମୁଦ୍ରରେ ଏଲିଏନଙ୍କ ଯାନ ଚଳପ୍ରଚଳ କରୁଛି । ଖାଲି ଏତିକି ନୁହେଁ ସେ କହିଛନ୍ତି, ଏଲିଏନଙ୍କ ସମ୍ପର୍କରେ ଆମେରିକା ସରକାର କିଛି ତଥ୍ୟ ଲୁଚାଉଛନ୍ତି । କିନ୍ତୁ ଏନେଇ ସାଧାରଣ ଲୋକ ଜାଣିବା ଦରକାର ବୋଲି ସେ କହିବା ସହିତ ତାଙ୍କୁ ମିଳିଥିବା ଖବର ଅନୁସାରେ, ଗଭୀର ସମୁଦ୍ରରରେ ଘଂଟା ପ୍ରତି ଶହଶହ କିଲୋମିଟର ବେଗର ଏକ ଯାନ ଚଳପ୍ରଚଳ କରୁଛି । ଏହି ଯାନର ଆକାର ଫୁଟବଲ ପଡ଼ିଆ ପରି ରହିଛି । ତେଣୁ ସମୁଦ୍ର ଭିତରେ ଚାଲୁଥିଲା ଯାନ କୌଣସି ଦେଶର ନୁହେଁ ବରଂ ଏଲିଏନଙ୍କର ବୋଲି ସେ ଦାବି କରିଛନ୍ତି । 

ଏଲିଏନଙ୍କୁ ଡ଼ରିବାର ଆବଶ୍ୟକତା ନାହିଁ

ଏକ ସାକ୍ଷାତକାର ସମୟରେ ସେ କହିଥିଲେ କି, ଭଗବାନଙ୍କ ଦ୍ବାରା ତିଆରି ବିଶ୍ବାଳ ବ୍ରହ୍ମାଣ୍ଡରେ କଣ କଣ ଅଛି ତାହା କହିବା ମୁସ୍କିଲ । କେତେବେଳେ କେଉଁଠାରେ କଣ ହେବ ତାହା ବି କହିହେବ ନାହିଁ । ହେଲେ ଆମେ ଜାଣିରଖିବା ଉଚିତ୍‌ କି, ବ୍ରହ୍ମାଣ ଏକ ବିଚିତ୍ର । ତେଣୁ କିଛି ବି ସମ୍ଭବ । କିନ୍ତୁ ମୋର ବିଶ୍ବାସ ଅଛି ସେମାନେ ମଣିଷ ଜଗତ ପ୍ରତି ବିପଦ କରିବେନି । କାରଣ ତାଙ୍କ ପାଖରେ ଯେଉଁ କ୍ଷମତା ରହିଛି ତାହା ମଣିଷ ପାଖରେ ବି ଅଛି । ସେଇଥିଲାଗି ସେମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । 

ଏଲିଏନକୁ ନେଇ ପେଣ୍ଟାଗନ କଣ କହୁଛି 

ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକଙ୍କ ପାଖରେ କୌଣସି ପ୍ରମାଣ ନାହିଁ କି ପୃଥିବୀ ଛଡ଼ା ଅନ୍ୟ କୌଣସି ଗ୍ରହରେ ଜୀବଜଗତ ରହିଛି । କିନ୍ତୁ ଏହା ପଛର ସତାସତ୍ୟ ଜାଣିବା ଲାଗି ଆମେରିକାର ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି । ପୂର୍ବରୁ ଏଲିଏନ ଥିବା କଥା କହିବା ପରେ ଲୋକେ ହସୁଥିଲେ ଏବଂ କହୁଥିଲେ ଏଲିଏନ ନାହାନ୍ତି ବୋଲି । କିନ୍ତୁ ଅନେକ ବିଶ୍ବର ବୈଜ୍ଞାନିକ ଏଲିଏନଙ୍କୁ ନେଇ ପ୍ରତିକ୍ରିୟା ଦେଉଥିବାରୁ ଏଲିଏନଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଚାଲିଛି । ୨୦୨୦ ମସିହାରେ ପେଣ୍ଟାଗନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଥିଲା କି, ଏଲିଏନ ଅଛନ୍ତି କି ନାହିଁ ସେନେଇ ଆମେରିକା ପାଖରେ କୌଣସି ପ୍ରମାଣ ନାହିଁ । ଆମେରିକା ଆକାଶରେ ଦେଖାଯାଇଥିବା ବିଚିତ୍ର ଦୃଶ୍ୟ ଅନ୍ୟ ଦେଶର ଗୁପ୍ତ ସେଟେଲାଇଟ୍‌  ବୋଲି କୁହାଯାଇଥିଲା । କିନ୍ତୁ ଏହାପରେ ୨୦୨୩ ମସିହାରେ ଆମେରିକା ବାୟୁସେନାର ଜଣେ ଅଧିକାରୀ କହିଥିଲେ କି ଆମେରିକା ପାଖରେ ଏଲିଏନଙ୍କର ଶବ ରହିଛି ଏବଂ ସେଥିରେ ପରୀକ୍ଷା ଚାଲିଛି । ହେଲେ ପେଣ୍ଟାଗନ ଏହାକୁ ମିଛ ବୋଲି କହିଥିଲା । ଏବେ ପୁଣି ଥରେ ଏଲିଏନର କଥା ସାମ୍ନାକୁ ଆସୁଥିବାରୁ ବଢୁଛି ଚର୍ଚ୍ଚା ।