କନକ ବ୍ୟୁରୋ: କାଦୁଅ ରାସ୍ତା ଯୋଗୁଁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ କ୍ୟାନ୍ସର ରୋଗୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ଭେଜିପୁଟ ଗାଁରୁ ଆସିଛି ଏହି ଅଭାବନୀୟ ଖବର । ରୋଗୀ ଜଣକ ହେଲେ ୪୦ ବର୍ଷୀୟ ପ୍ରଶାନ୍ତ ଖୋସଲା । ସେ ଦୀର୍ଘ ଦିନ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ । ହେଲେ ବର୍ଷା ପାଇଁ ମାଟି ରାସ୍ତାର ଅବସ୍ଥା ଅତି ଖରାପ ହୋଇପଡ଼ିବାରୁ ଗାଁ ଭିତରକୁ ଯାଇପାରିନଥିଲା ଆମ୍ବୁଲାନ୍ସ । ବାଧ୍ୟହୋଇ ପରିବାର ଲୋକ ପ୍ରଶାନ୍ତଙ୍କୁ ଦେଢ଼ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । ଭେଜିପୁଟ ଗାଁରେ ୩୫୦ ଲୋକ ବସବାସ କରୁଥିବା ବେଳେ ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment

ସେହିପରି ରୋଗୀ ଆଣିବାକୁ ଯାଇ ଅଧଘଣ୍ଟା କାଦୁଅରେ ଫସିଲା ଆମ୍ବୁଲାନ୍ସ । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ କୁଅଁରପୁର ଗାଁର ଦୀପ୍ତିମୟୀ ପୃଷ୍ଟି ଡାଇରିଆରେ ପୀଡିତ ହୋଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଗାଡ଼ି ମଧ୍ୟ ସଠିକ ସମୟରେ ଗାଁକୁ ଯାଇଥିଲା। ହେଲେ ନୀଳଗିରିରେ ଲଗାଣ ବର୍ଷା ପାଇଁ ଗାଁରେ ଥିବା ମାଟି ରାସ୍ତାରେ ଫସିଯାଇଥିଲା ଆମ୍ବୁଲାନ୍ସ । ପରେ ଗାଁ ଲୋକ ଆସି ଆମ୍ବୁଲାନ୍ସକୁ ଠେଲି ଉଦ୍ଧାର କରିଥିଲେ । ଏମିତିକି ଟ୍ରାକ୍ଟରରେ ଆମ୍ବୁଲାନ୍ସକୁ ଟଣାଯାଉଥିବାର ଦେଖିବାକୁ ମିଳିଛି । ତେବେ ଗାଁକୁ ତୁରନ୍ତ ପକ୍କା ରାସ୍ତାଟିଏ ନିର୍ମାଣ କରିବା ପାଇଁ ଦାବି କରାଯାଇଛି ।