କନକ ବ୍ୟୁରୋ: ରୋଗୀଙ୍କୁ ମିଳିଲା ନାହିଁ ୧୦୮ ଆମ୍ବୁଲାନ୍ସ । ବ୍ରହ୍ମପୁର ଏମ୍‌କେସିଜିରେ ପହଞ୍ଚିବା ପୂର୍ବରୁ ଚାଲିଗଲା ୩୧ ବର୍ଷୀୟ ଯୁବକଙ୍କ ଜୀବନ । କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ କଲେଜରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଗୌଡ଼ଗୁଡା ଗାଁର ମୁରଲୀ କୁମ୍ଭାର । ଗତ କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ମୁରଲୀ । ବୁଧବାର ଦିନ ସ୍ଥାନୀୟ କାକିରିଗୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗୁରୁତର ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ଗୁରୁବାର ସନ୍ଧ୍ୟାରେ ମୁରଲୀଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଥିଲା ।

Advertisment

ଏହାପରେ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଗରିବ ଶ୍ରେଣୀର ମୁରଲୀଙ୍କ ପରିବାର ଆମ୍ବୁଲାସକୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ଜଣେ ଯୁବକଙ୍କ ଜୀବନ ଯାଇଛି । ୩୧ ବର୍ଷୀୟ ସ୍ୱାମୀଙ୍କୁ ହରାଇଛନ୍ତି ଭାଙ୍ଗି ପଡ଼ିଛନ୍ତି ସ୍ତ୍ରୀ ଦିନମଣି କୁମ୍ଭାର । ବାପଛେଉଣ୍ଡ ହୋଇଯାଇଛନ୍ତି ୧୦ ବର୍ଷର ପୁଅ ଚନ୍ଦନ କୁମ୍ଭାର ଓ ଆଠ ବର୍ଷର ଝିଅ ନିକିତା କୁମ୍ଭାର । ଯଦି ଠିକ ସମୟରେ ଆମ୍ବୁଲାନ୍ସ ମିଳିଥାନ୍ତା ତେବେ ମୁରଲୀଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

ମିଳିଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ
ଗୁରୁବାର ରାତି ୧୦ଟାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ
ଶୁକ୍ରବାର ଅପରାହ୍ଣ ୪ଟା ଯାଏଁ ଆସିଲା ନାହିଁ ୧୦୮ ଆମ୍ବୁଲାନ୍ସ
ପ୍ରାୟ ୨୦ ଘଣ୍ଟାର ଅପେକ୍ଷା ପରେ ବି ଆସିଲାନି 
ଏକ ଘରୋଇ ଆମ୍ବୁଲାନ୍ସରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହେଉଥିଲେ ରୋଗୀ
ସେମିଳିଗୁଡ଼ା ନିକଟରେ ଚାଲିଗଲା ମୁରଲୀଙ୍କ ଜୀବନ 
୧୦୮ ଆମ୍ବୁଲାନ୍ସକୁ ଦାୟୀ କଲେ ପରିବାର ଲୋକ
ଆମ୍ବୁଲାନ୍ସ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ 
ଆମ୍ବୁଲାନ୍ସଟିଏ ଯୋଗାଇ ଦେଇପାରୁନାହିଁ ଆମ ବ୍ୟବସ୍ଥା!
ଏଥିପାଇଁ ଦାୟୀ କିଏ?
କିଏ ନେବ ଏହାର ଉତ୍ତରଦାୟିତ୍ୱ?