କନକ ବ୍ୟୁରୋ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ପୁରୀକୁ ଛୁଟି ଆସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତଙ୍କ ଭିଡ଼ ରାସ୍ତାଘାଟ ସବୁ ଜାମ୍ । ଆଉ ଏହାରି ଭିତରେ ପୁରୀ ଡାକ୍ତରଖାନାରେ ପହଞ୍ଚିଥିଲା ଏକ ଆମ୍ବୁଲାନ୍ସ । ଆପଣମାନେ ଭାବୁଥିବେ ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଛି । ରାସ୍ତାରେ ଯାଉଥିବା ଅନ୍ୟଗାଡ଼ି ମଧ୍ୟ ଠିକ୍ ଏମିତି ଭାବି ଆମ୍ବୁଲାନ୍ସକୁ ବାଟ ଛାଡ଼ି ଦେଇଥିବେ । ହେଲେ ଡାକ୍ତରଖାନାରେ ଆମ୍ବୁଲାନ୍ସ ଗେଟ୍ ଖୋଲିବା ପରେ ସାମ୍ନାକୁ ଆସିଲା ସତ । ୧୦୮ ଆମ୍ବୁଲାନ୍ସରେ ନଥିଲେ ରୋଗୀ । ଥିଲେ ଏକାଧିକ ବ୍ୟକ୍ତି । ଜଣେ ମହିଳା ମଧ୍ୟ ବାହାରିଲେ । ସେମାନଙ୍କ ବେକରେ ପରିଚୟ ପତ୍ର କି ପାସ୍ କଣ ଗୋଟେ ଝୁଲୁଛି ।
ସେମାନେ ସରକାରୀ ଅଧିକାରୀ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୁରୀ ରଥଯାତ୍ରା ସମୟରେ ଭିଡ଼ ଭିତରେ କାହାର କିଛି ସ୍ୱାସ୍ଥ୍ୟଗତ୍ ସମସ୍ୟା ହେଲେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ରଖାଯାଇଛି । ହେଲେ ଏଠି ଆମ୍ବୁଲାନ୍ସଟି ରୋଗୀ ନୁହେଁ ଯାତ୍ରୀ ବୋହୁଛି । ଏଥିପାଇଁ କିଏ ଦେଇଛି ଅନୁମତି । କାହା କଥାରେ ଆମ୍ବୁଲାନ୍ସ ଡ୍ରାଇଭର ଲୋକଙ୍କୁ ଧରି ଡାକ୍ତରଖାନାକୁ ଯାଇଥିଲେ । ପୁରୀ ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସ ଭିତରୁ ସୁସ୍ଥ ଲୋକ ବାହାରୁଥିବା ଦେଖି ଏମିତି ପ୍ରଶ୍ନ କରିଛନ୍ତି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ।