କନକ ବ୍ୟୁରୋ : ପିଲାବେଳୁ ପାଠ ବହିରେ ପଢ଼ିଆସିଛେ ‘ମାଙ୍କଡ଼ ଖାଏ କାଙ୍କଡ଼ କଷି , ବାଙ୍କ ବାବୁଙ୍କ ବାଡ଼ିରେ ପଶି’ । କାଙ୍କଡ଼ .. ପ୍ରାୟତଃ ଅନେକ ଲୋକ ଏହି କଣ୍ଟାଭଳି ଦେଖାଯାଉଥିବା ପରିବାଟିକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହି ପରିବାଟି ଦେହ ପାଇଁ କେତେ ଭଲ ବୋଧହୁଏ କେହି ଜାଣିନାହାନ୍ତି । ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର କାମ ମଧ୍ୟ କରେ । ତେବେ ଆପଣ ଜାଣିଛନ୍ତି କି କାଙ୍କଡ଼ ମଧ୍ୟ ଦେହ ପାଇଁ ଭାରି ଭଲ । ପ୍ରୋଟିନ୍ ଏବଂ ଆଇରନ୍‌ରେ ଭରପୂର ଏହି ପରିବାରେ କମ୍ କ୍ୟାଲୋରୀ ଥାଏ । ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ଥାଏ, ତେଣୁ କାଙ୍କଡ଼ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ସଂକ୍ରମଣକୁ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କାଙ୍କଡ଼ର ଉପକାରିତା ସମ୍ବନ୍ଧରେ । 

Advertisment
Spiny gourd
Spiny gourd Photograph: (KanakNews)

ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ କାଙ୍କଡ଼ ବହୁତ ଲାଭଦାୟକ । HealthbenefitsTimes ର ଏକ ରିପୋର୍ଟ ଅନୁସାରେ , କାଙ୍କଡ଼ ସିଝା ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରାଯାଇପାରେ । ମୌସୁମୀ ସମୟରେ ଲୋକମାନେ ପ୍ରାୟତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ସାଧାରଣ ଭାଇରାଲ୍ ସଂକ୍ରମଣରେ ପୀଡ଼ିତ ହୁଅନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ସଂକ୍ରମଣକୁ ରୋକିବା ପାଇଁ ଖାଦ୍ୟରେ କାଙ୍କଡ଼ ଖାଇପାରିବେ । ଏହି ପରିବାରେ ଆଣ୍ଟି-ଆଲର୍ଜି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍, ଆନାଲ୍ଜେସିକ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଏହି ପରିବା ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ । 
ତେବେ ଖାଲି ଶରୀର ପାଇଁ ନୁହେଁ ତ୍ବଚା ପାଇଁ ମଧ୍ୟ ଭାରି ଭଲ କାଙ୍କଡ଼ । ସତେଜ କାଙ୍କଡ଼ ରସକୁ ଚର୍ମରେ ଲଗାଇବା ଦ୍ୱାରା ପିମ୍ପଲ୍ ଏବଂ ବ୍ରଣ ଭଲ ହୋଇଥାଏ । ଏହାଛଡ଼ା ଅନ୍ୟାନ୍ୟ ଚର୍ମ ସମସ୍ୟା ପାଇଁ ଏହାର ଭଜା ମଞ୍ଜି ଲାଭଦାୟକ ହୋଇଥାଏ । କାଙ୍କଡ଼ ପ୍ରକୃତରେ ଏକ ଥଣ୍ଡା ପରିବା ଯାହା ଖାଇବା ଦ୍ବାରା ହଜମ ସହଜରେ ହୋଇଥାଏ । ଏହାର ମଣ୍ଡ ଏବଂ ମଞ୍ଜିରେ ଫାଇବର ଭରପୂର ମାତ୍ରାରେ ଥାଏ ଯାହା ଗ୍ୟାଷ୍ଟ୍ରିକ୍ ଅଲସର, ହେମୋରୋଇଡ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ । କାଙ୍କଡ଼ ହେଉଛି ଏକ କମ୍ କ୍ୟାଲୋରୀଯୁକ୍ତ ପରିବା । ଯାହା ଶରୀରର ଅତିରିକ୍ତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ଖାଦ୍ୟରେ କାଙ୍କଡ଼ର ସେବନ ନିହାତି କରନ୍ତୁ ।