କନକ ବ୍ୟୁରୋ: ଆସିକା ବ୍ଲକ ଅନ୍ତର୍ଗତ ସାନଖୋଲି ଗାଁର ସୁରେଶ ପଟ୍ଟନାୟକ । ନିଜେ ନୀରବି ଯାଇଛନ୍ତି, ହେଲେ ୭ ଜଣଙ୍କୁ ଦେଇଛନ୍ତି ନୂଆ ଜୀବନ। ପୁଅ ଘରକୁ ଆସିଛି। ତା କଫିନ୍କୁ ଦେଖି ସମସ୍ତଙ୍କ ଆଖି ଲୁହରେ ଭିଜିଛି । ସଂପର୍କୀୟ ନିର୍ବାକ୍, ଗାଁ ପୁରା ନିସ୍ତବ୍ଧ । ଘର ଦୂଆର ମୁହଁରେ ବସିଛନ୍ତି ବାପା । ଆଖିରୁ ବହି ଚାଲିଛି ଧାରଧାର ଲୁହ। ପୁଅ ପହଞ୍ଚିବା ପୂର୍ବରୁ ଗାଁ ଦାଣ୍ଡରେ ବନ୍ଧା ସରିଛି କୋକେଇ। ଶେଷ ଦର୍ଶନ ପାଇଁ ଏକାଠି ହୋଇଛନ୍ତି ବନ୍ଧୁ, ପରିଜନ, ସଂପର୍କୀୟ। ଅଙ୍ଗଦାନ କରି ଅମର ହୋଇଥିବା ସୁରେଶଙ୍କ ପାଇଁ ଗର୍ବ କରିବେ ନା ରୋଜଗାରିଆ ପୁଅକୁ ହରାଇଥିବା ପରିବାରକୁ ସମବେଦନା ଜଣାଇବେ କେହି କିଛି ବୁଝି ପାରୁନାହାନ୍ତି ।
ପରିବାରର ଋଣବୋଝ ହାଲୁକା କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ଗତ ୨୦ ତାରିଖରେ ଦୁର୍ଘଟଣାର ଶିକାର ସୁରେଶଙ୍କୁ ୨୧ ତାରିଖରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। ମିଳିଥିବା ସୂଚନା ଅନୁସାରେ, ସୁରେଶଙ୍କ ବ୍ରେନ୍ ଡେଡ୍ ପୂର୍ବରୁ ସେ ଅଙ୍ଗଦାନ କରିବେ ବୋଲି ନିଷ୍ପତି ନେଇଥିଲେ । ଏବଂ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଜାଣି, ପାଖରେ ଥିବା ସ୍ୱେଚ୍ଛସେବୀଙ୍କୁ ନିଜ ମନର କଥା ଜଣାଇଥିଲେ। ତାଙ୍କ କଥା ଅନୁସାରେ, ଶରୀରରେ ସଚଳ ଥିବା କିଡ୍ନୀ, ଲିଭର, ଲଙ୍ଗସ୍, ହାର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରାଯାଇଛି । ସୁରେଶ ଅମର ହୋଇଗଲେ ସତ, ତାଙ୍କ ଅବର୍ତ୍ତମାନରେ ବାପା, ମାଆ ଓ ଭାଇ ପୂରା ଭାଙ୍ଗି ପଡ଼ିଛନ୍ତି ।
ନିଜେ ମରି ୭ ଜଣଙ୍କୁ ଜୀବନ ଦେଲେ, ଅଙ୍ଗଦାନ କରି ଅମର ଆସିକାର ସୁରେଶ
୨୦ ତାରିଖରେ ଦୁର୍ଘଟଣାର ଶିକାର ପରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର
/kanak/media/media_files/2025/07/25/donate-blood-2025-07-25-21-45-19.jpg)