Ama Bus accident Photograph: (KanakNews)
କନକ ବ୍ୟୁରୋ : ରାଜଧାନୀରେ ପୁଣି ଆମ ବସ ଆତଙ୍କ । ପଲାସପଲ୍ଲୀ ଅଞ୍ଚଳରେ ଜଣକ ଉପରେ ମାଡ଼ିଗଲା ଆମ ବସ । ଦୁର୍ଘଟଣାରେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବସ ଭଙ୍ଗାରୁଜା କରିଛନ୍ତି । ଗାଡ଼କଣ ଯାତ୍ରା ପଡ଼ିଆରୁ ଟ୍ରିପ ବାତିଲ ହେବା ପରେ ଆମ ବସ୍ ଡିପୋକୁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଆମ ବସ୍ ଦୁର୍ଘଟଣା ପରେ କ୍ରୁଟ୍ ପକ୍ଷରୁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଖବର ପାଇ କ୍ରୁଟ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ବୃଦ୍ଧ ସାଇକେଲ ଆରୋହୀଙ୍କୁ ଆବଶ୍ୟକ ଚିକିତ୍ସା ସୁନିଶ୍ଚିତ କରିଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପୀଡିତ ବୃଦ୍ଧଙ୍କ ଆବଶ୍ୟକୀୟ ସମସ୍ତ ସହାୟତା ପ୍ରଦାନ ନେଇ କ୍ରୁଟର ପ୍ରତିନିଧି ଡାକ୍ତରଖାନାରେ ଉପସ୍ଥିତ ରହିଛନ୍ତି । ଏସଓପି ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୫୦,୦୦୦ ଟଙ୍କା କ୍ଷତିପୂରଣ ଓ ଆବଶ୍ୟକ ଡାକ୍ତରୀ ସହାୟତା ଯୋଗାଇଦିଆଯାଉଛି ।
ଅଧିକ ପଢନ୍ତୁ : ରାଜଧାନୀରେ ଥମୁନି ‘ଆମ ବସ୍’ ଆତଙ୍କ : ବାରମ୍ବାର ଘଟୁଛି ଦୁର୍ଘଟଣା, ଯାଉଛି ଜୀବନ
ଘଟଣା ପରେ କିଛି ଦୁର୍ବୃତ୍ତ ଆମ ବସ୍ କୁ କ୍ଷତି ପହଞ୍ଚାଇଥିଲେ ଓ ସାମ୍ନା ୱିଣ୍ଡସ୍କ୍ରିନ୍ ଏବଂ ପାର୍ଶ୍ୱ କାଚ ଭାଙ୍ଗି ଦେଇଥିଲେ । କ୍ରୁଟ୍ ପକ୍ଷରୁ ଏପରି ପରିସ୍ଥିତିରେ ଦାୟିତ୍ୱବାନ ନାଗରିକମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରାଯାଇଛି । ଆମ ବସ୍ ହେଉଛି ସାର୍ବଜନୀନ ସମ୍ପତ୍ତି । କୌଣସି ପରିସ୍ଥିତିରେ ଆଇନକୁ ନିଜ ହାତକୁ ନ ନେବା ପାଇଁ କ୍ରୁଟ୍ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି । ସେଭଳି କ୍ରୁଟ୍ ଆଭ୍ୟନ୍ତରୀଣ ଦୁର୍ଘଟଣା କମିଟିକୁ ଏହି ଘଟଣାର ତୁରନ୍ତ ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
Follow Us