କନକ ବ୍ୟୁରୋ : ମୁଁ ଶ୍ରମିକ କହୁଛି..ମୋତେ ସମସ୍ତେ ଜାଣନ୍ତି,ଚିହ୍ନନ୍ତି କାରଣ ମୋ ପରିଚୟ ହେଉଛି ମୁଁ ଜଣେ ଶ୍ରମିକ । ମୁଁ ସମସ୍ତଙ୍କ ପାଇଁ ଖଟେ,ଏ ଚାକଚକ୍ୟର ଦୁନିଆ ଭିତରେ ମୁଁ ହିଁ ସବୁଠୁ ପରିଶ୍ରମୀ । ଡହ ଡହ ଖରା ହେଉ କି ହାଡ଼ ଭଙ୍ଗା ଶୀତ, ଦେହରେ ପୁରୁଣା ପୋଷାକ ଆଉ ଖଣ୍ଡେ ଗାମୁଛା ପକାଇ ବାହାରି ପଡ଼େ କାମ କରିବାକୁ । ନିଜ କାନ୍ଧରେ ଇଟା ପଥର ବୋହି ଚାଲେ,ଏଇ ଥର ଥର ହାତରେ ବାଲି ସିମେଣ୍ଟ ଗୋଳି ନଅର ତିଆରି କରେ । ଅକ୍ଲାନ୍ତ ପରିଶ୍ରମ ପରେ ଫେରି ଆସେ ମୋ କୁଡ଼ିଆକୁ ଫେରି ଆସିବା ପରେ ଆଉ ଦେହରେ ଜୁ ନଥାଏ ପଖାଳ ତୋରାଣି ପିଇ ଥକ୍କା ମାରି ବସେ । ଚାଳର କଣା ପଟେ କେବେ ଆକାଶର ଟିକି ଟିକି ତାରା ଆଉ କେବେ ପୁନେଇଁ ଜହ୍ନକୁ ଦେଖୁ ଦେଖୁ ଆଖିକୁ ନିଦ ଆସିଯାଏ ।
ଏବେ ଚାରିଆଡେ କଂକ୍ରିଟ ଜଙ୍ଗଲ । ଆଖି ବୁଲେଇ ଆଣିଲେ ଚାରିଆଡ଼େ ଦିଶିବ ପ୍ରଗତିଶୀଳ ଭାରତର ସୁନ୍ଦର ଗାଁ ଓ ସହର । ମଲ୍ରୁ ମଲ୍ଟିପ୍ଲେକ୍ସ, କମ୍ପାନୀରୁ କାରଖାନା, ଫ୍ଲାଏ ଓଭର ଵ୍ରିଜରୁ ଜାତୀୟ ରାଜପଥ-ଏମିତିକି ଏ ମହାନଗରର ଯେତେସବୁ ନଦୀବନ୍ଧ, ଏୟାରପୋର୍ଟ, ମେଡିକାଲ୍ ନିର୍ମାଣ, ବାଟ/ଘାଟ, ଅଫିସ୍ ଠାରୁ ଆରମ୍ଭ କରି ନୂଆ ଭାରତର ଆଧୁନିକତାର ସ୍ପର୍ଶ ଯାଏଁ- ସବୁଥିରେ ମୋ ଝାଳର ସ୍ପର୍ଶ ନିହାତି ପାଇବେ । ମୁଁ ବହୁତ ଖୁସି କାରଣ ମୋ ଭାରତ ବା ଆଗେଇ ଚାଲିଛି । ଏତେ ସବୁ ମୁଁ କରେ ସିନା ହେଲେ ବାଃ ବାଃ ନିଅନ୍ତି ନେତା, ମନ୍ତ୍ରୀ । ସଭା ସମିତି ଡାକି ଯେବେ ଉଦ୍ଘାଟନ କରାଯାଏ,ସେମାନଙ୍କୁ ପ୍ରଶଂସା କରାଯାଏ, ମୁଁ ବି ସେଠି ଗୋଟିଏ କୋଣରେ ଠିଆ ହୋଇ ତାଳି ମାରେ । କିନ୍ତୁ ସେଠି ସମସ୍ତେ ଭୁଲି ଯାଆନ୍ତି ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରିଥିବା ଏହି ଶ୍ରମିକଟିକୁ ।
ଭୁଲିବେନି ବା କେମିତି ମୁଁ ପରା ତୁମ ମଣିଷ ମାନଙ୍କଠୁ ଭିନ୍ନ । କାଇଁ ନା ରକ୍ତ ମାଂସ ହାଡ଼ରେ ତିଆରି ତୁମ ଶରୀର କିନ୍ତୁ ମୋର ଏ ଶରୀର ମାଟି ବାଲି ଗୋଡ଼ି ସିମେଣ୍ଟରେ ତିଆରି । ଏ ଝାଳ ବୁହା ଶରୀରରୁ କେବେ ବି ରକ୍ତ ବୁହେନି...ମୁଁ ଶକ୍ତ,ମୁଁ ଶସକ୍ତ,ମୁଁ ଧୈର୍ଯ୍ୟବାନ୍ ମୁଁ ପରିଶ୍ରମୀ । ସେଇଥିପାଇଁ ବୋଧେ ଆଜିର ଦିନଟିଏ ଶ୍ରମିକ ଜାତି ପାଇଁ ଉତ୍ସର୍ଗ । ଖାଲି ମୋର ତୁମ ମାନଙ୍କୁ ଏହି ଗୋଟିଏ ପ୍ରଶ୍ନ, ସତରେ କ’ଣ ଏ ଶ୍ରମିକ ଦିବସର ଯଥାର୍ଥତା ଅଛି,କେବେ ହସିବ ଏ ମାଟିର ଶ୍ରମିକ ?...ଶ୍ରମିକମାନଙ୍କ ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସର ଶୁଭେଚ୍ଛା ।