କନକ ବ୍ୟୁରୋ: ବିଦାୟୀକାଳୀନ ଦିନିକିଆରେ ଅଷ୍ଟ୍ରେଲିଆ ମହିଳା ଦଳର ଚର୍ଚ୍ଚିତ ଅଧିନାୟିକା ଆଲିସା ହିଲି ୧୫୮ ରନ୍‌ର ବିସ୍ଫୋରକ, ମ୍ୟାଚ୍‌ ବିଜୟୀ ଓ ଅସାଧାରଣ ପାଳି ଖେଳିଛନ୍ତି । ତାଙ୍କର ଏହି ଅବିସ୍ମରଣୀୟ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଆୟୋଜିତ ଭାରତ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆକୁ ୧୮୫ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଛି । ତା’ ସହିତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ‌ପୋଛି ନେଇଛି । କଙ୍ଗାରୁ ଦଳ ମଧ୍ୟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତଠାରୁ ୧-୨ରେ ହାରିବାର ପ୍ରତିଶୋଧ ନେଇଛି । ରବିବାରର ଏହି ପ୍ରତୀକ୍ଷିତ ମୁକାବିଲା ତାଙ୍କ ଖେଳ ଜୀବନର ଶେଷ ଏକଦିବସୀୟ ମ୍ୟାଚ୍‌ ହେବ ବୋଲି ହିଲି ପୂର୍ବରୁ ଘୋଷଣା କରିଥିଲେ ।

Advertisment

ଏହା ବି ପଢ଼ନ୍ତୁ: ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଭାରତ, ଇଡେନ ଗାର୍ଡେନ୍ସରେ ରଚିଲା ବିଶ୍ୱରକର୍ଡ

ଅଷ୍ଟ୍ରେଲିଆର ପାଳି ଆରମ୍ଭ କରି ଏହାକୁ ଅଭୁଲା କରିବାର ଅଭିମୁଖ୍ୟକୁ ଆରମ୍ଭରୁ ସ୍ପଷ୍ଟ କରି ଦେଇଥିଲେ । ବେଥ୍‌ ମୁନି (୧୦୬)ଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ୧୪୫ ରନ୍‌ର ଭାଗୀଦାର ଗଢ଼ିଥିଲେ । ଉଭୟ ଶତକ ହାସଲ କରିଥିଲା ବେଳେ ଅଷ୍ଟ୍ରେଲିଆ ୭ ୱିକେଟ୍‌ ବିନିମୟରେ ରେକର୍ଡ ୪୦୯ ରନ୍‌ କରିଥିଲା । ଭାରତ ପକ୍ଷରୁ ଶ୍ରୀ ଚାରଣୀ ଓ ସ୍ନେହ ରାଣା ଦୁଇଟି ଲେଖାଏଁ ୱିକେଟ୍‌ କରାୟତ୍ତ କରିଥିଲେ । ଅନ୍ୟପକ୍ଷରେ ରେଣୁକା ସିଂହ, କାଶଭୀ ଗୌତମ ଓ ଦୀପ୍ତି ଶର୍ମାଙ୍କ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା । ଜବାବରେ ଭାରତୀୟ ଦଳ ବଡ଼ ବିଜୟ ଲକ୍ଷ୍ୟର ଅସହ୍ୟ ଚାପରେ ଚାପି ହୋଇ ୪୫.୧ ଓଭରରେ ୨୨୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳର ଜଣେ ହେଲେ ବି ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁ ନଥିଲେ ।

ସ୍ନେହ ରାଣା ସର୍ବାଧିକ ୪୪ ରନ୍‌ କରିଥିଲେ । ଅଷ୍ଟ୍ରେଲିଆର ସଫଳତମ ବୋଲର୍‌ ଭାବେ ଆଲନା କିଙ୍ଗ୍ ୩୩ ରନ୍‌ ବିନିମୟରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆ ମହିଳା ଦଳ ହିଲିଙ୍କୁ ବିଦାୟକାଳୀନ ବିଜୟ ଉପହାର ଦେବା ସହ ବ୍ୟକ୍ତିଗତ ଭାବେ ସେ ଶତକୀୟ ପାଳିରେ ଅବସର ନେବା ଅଷ୍ଟ୍ରେଲିଆ ପୁରୁଷ ଦଳର ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ସର୍ବାଧିକ ଖୁସି କରିଛି । କାରଣ ଷ୍ଟାର୍କ ହେଉଛନ୍ତି ହିଲିଙ୍କ ପତି । ପତ୍ନୀଙ୍କ ହିଲିଙ୍କ ଏକାଗ୍ରତା ଓ ଦୃଢ଼ ମନୋବଳକୁ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଭୂୟସୀ ପ୍ରଶଂସା କରି ଷ୍ଟାର୍କ । ତୁମ (ହିଲିଙ୍କ) ପାଇଁ ମୁଁ ଗର୍ବିତ ବୋଲି ଲେଖିଛନ୍ତି ।  

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ୫୦ ଓଭରରେ-୪୦୯/୭ (ଆଲିସା ହିଲି ୧୫୮, ବେଥ୍‌ ମୁନି ୧୦୬*, ଶ୍ରୀ ଚାରଣୀ ୨/୧୦୬, ସ୍ନେହ ରାଣା ୨/୬୬) । ଭାରତ ୪୫.୧ ଓଭରରେ-୨୨୪ (ସ୍ନେହ ରାଣା ୪୪, ଜେମିମା ରଡ୍ରିଗ୍ସ ୪୨, ଆଲନା କିଙ୍ଗ୍ ୪/୪୪) ।