କନକ ବ୍ୟୁରୋ:ଯେଉଁଠି ଆତ୍ମୀୟ ସ୍ୱଜନ କରିଦିଅନ୍ତି ପର,ମୃତ୍ୟୁ ପରେ ଶବସତ୍କାର ତ ଦୂରର କଥା ଶେଷ ଦର୍ଶନ କରିବାକୁ ବି ଆସନ୍ତି ନାହିଁ । ସେହି ସମୟରେ ପାଖରେ ଶବଦାହ ପାଇଁ ଆଗେଇ ଆସିଥାନ୍ତି ସୁନ୍ଦରଗଡ଼ର ଶ୍ମାଶାନ ବନ୍ଧୁ । ଶବ ସତ୍କାର କରିବା ସହ ଅସ୍ଥି ବିସର୍ଜନ ପାଇଁ ଯୋଜନା କରନ୍ତି । ତ୍ରିବେଣୀରେ ଅସ୍ଥି ବିର୍ସଜନ ପୂର୍ବରୁ ରୀତିନୀତିରେ ପିଣ୍ଡଦାନ କରନ୍ତି ।
ଗୋଟି ଗୋଟି କରି ୬୩ଟି ଅସ୍ଥି କଳସ ଧାଡ଼ି କରି ରଖାଯାଇଛି । କଳସରେ ଅଜଣା ମୃତବ୍ୟକ୍ତିଙ୍କ ଅସ୍ଥି ରହିଛି । ଆଉ ପିଣ୍ଡ ଦାନ କରୁଥିବା ଏହି ବ୍ୟକ୍ତିମାନେ ମୃତବ୍ୟକ୍ତିଙ୍କ ରକ୍ତ ସଂପର୍କୀୟ ନୁହଁନ୍ତି । କିନ୍ତୁ ଅନ୍ତିମ ଯାତ୍ରାରେ ମୁଖାଗ୍ନୀ ଦେଇଥିବା ପୁଅ ଏମାନେ । ଅସହାୟ ଅବସ୍ଥାରେ ମିଳିଥିବା ଅଲୋଡ଼ା ମୃତଦେହର ଦାହ କରିଥାନ୍ତି ସୁନ୍ଦରଗଡ଼ ଶ୍ମଶାନ ବନ୍ଧୁ । ୨୦୨୪ ଫେବ୍ରୁୟାରିରୁ ଆଜି ପର୍ୟ୍ୟନ୍ତ ୬୩ଟି ଅସ୍ଥିକୁ ନେବାକୁ କେହି ଆସିଲେ ନାହିଁ । ସେହି ଅସ୍ଥିକୁ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ଶ୍ମଶାନ ବନ୍ଧୁ ଟିମ୍ ।
ସୁନ୍ଦରଗଡ଼ରେ ଅସ୍ଥିଶୁଦ୍ଧି ପୂଜା କରି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ଅଭିମୁଖେ ବାହାରିଛନ୍ତି । ସେଠାରେ ରୀତିନୀତି ଅନୁସାରେ ଅସ୍ଥି ବିର୍ସଜନ କରିବା ପରେ ବନାରସ ଓ ଗୟାରେ ପିଣ୍ଡ ଦେଇ ଆତ୍ମାମାନଙ୍କ ମୁକ୍ତି କମନା କରିବେ । ଶ୍ମଶାନ ବନ୍ଧୁଙ୍କ ନିସ୍ୱାର୍ଥ ସେବା ଏବଂ ମହନୀୟତାର ଏ ଦୃଶ୍ୟ ପ୍ରଥମ ଘଟଣା ନୁହଁ । କରୋନା କାଳରୁ ନିଜ ଜୀବନକୁ ବାଜିରେ ଲଗାଇ ଶବ ସତ୍କାର କାମ ଆରମ୍ଭ କରିଥିଲେ । ଯେଉଁ ସମୟରେ ବାପା ଶବ ପୁଅ ଛୁଇଁ ନଥିଲା, ସେତେବେଳେ ଏମାନେ ଆଗକୁ ଆସିଥିଲେ । ଆଜି ପର୍ୟ୍ୟନ୍ତ ନିରନ୍ତର ସେବା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧୦ଟି ଶବଦାହ କରାଇଛନ୍ତି ଏବଂ ୨୧୦ଜଣ ମୃତ ବ୍ୟକ୍ତିଙ୍କ ଅସ୍ଥି ବିର୍ସଜନ କରିଛନ୍ତି । ଶ୍ମଶାନ ବନ୍ଧୁଙ୍କ ଏହି ମହତ କାର୍ୟ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।