କନକ ବ୍ୟୁରୋ: ନିକଟରେ ଖବର ଆସିଥିଲା ଯେ ଏଥର ଶକ୍ତିମାନ ଫିଲ୍ମରେ ରଣବୀର ସିଂ ନୁହନ୍ତି ବରଂ ଅଲ୍ଲୁ ଅର୍ଜୁନ ନଜର ଆସିବେ । ଫିଲ୍ମର ପ୍ରଯୋଜନା ମିନାଲ ମୁରଲୀ କରିବାକୁ ଥିବାବେଳେ ନିର୍ଦ୍ଦେଶନା ଦେବେ ବସିଲ ଜୋସେଫ୍ । ଆଲୋଚନା ହେଉଥିଲା ଯେ ବସିଲଙ୍କ ସହ ଅଲ୍ଲୁ ଅର୍ଜୁନ ଏକ ସୁପରହିରୋ ଫିଲ୍ମ ସାଇନ୍‌ କରିଛନ୍ତି । ଏହା ଶକ୍ତିମାନ ହିଁ ହୋଇପାରେ ବୋଲି ସୋସିଆଲ ମିଡିଆରେ ୟୁଜର୍ସ ଆଲୋଚନା କରିବାକୁ ଲାଗିଥିଲେ । କିନ୍ତୁ ଏବେ ବସିଲ ଏସବୁ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଶକ୍ତିମାନ ଯେବେ ବି ପ୍ରସ୍ତୁତ ହେବ ରଣବୀର ସିଂ ହିଁ ହିରୋ ହେବେ । 

Advertisment

ସୋନି ପିକ୍ଚର୍ସ ଓ ଗୀତା ଆର୍ଟ୍ସ ଷ୍ଟୁଡିଓ ବ୍ୟାନରରେ ଶକ୍ତିମାନ ଫିଲ୍ମ ପ୍ରସ୍ତୁତ ହେବ । ଅଲ୍ଲୁ ଅର୍ଜୁନଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ ହେଉଥିବା ନେଇ ଗୁଜବ ଭିତରେ ସୋନି ପିକ୍ଚର୍ସ ଓ ଗୀତା ଆର୍ଟ୍ସ ଷ୍ଟୁଡିଓ ପକ୍ଷରୁ କୁହାଯାଇଛି ଯେ, କୌଣସି ଅନ୍ୟ ଅଭିନେତା ଶକ୍ତିମାନରେ ହିରୋ ରୋଲ୍‌ କରୁନାହାନ୍ତି । କେବଳ ରଣବୀର ସିଂ ହିଁ ଏଥିରେ ହିରୋ ଭାବରେ ନଜର ଆସିବେ, ଆଉ କେହି ନୁହେଁ । ଏହାପରେ ଖୋଦ ନିର୍ଦ୍ଦେଶକ ବସିଲ ମଧ୍ୟ ଏହାକୁ ଦୋହରାଇଛନ୍ତି । 

ବସିଲ କହିଛନ୍ତି, 'ଅଲ୍ଲୁ ଅର୍ଜୁନଙ୍କ ସହ ଏକ ସୁପରହିରୋ ଫିଲ୍ମକୁ ନେଇ କଥାବାର୍ତ୍ତା ଚାଲିଛି, କିନ୍ତୁ ସେ ଶକ୍ତିମାନ ଫିଲ୍ମରେ ନଜର ଆସିବେ ନାହିଁ ।' କିଛିଦିନ ପୂର୍ବେ ମୁକେଶ ଖନ୍ନା କହିଥିଲେ ଯେ, ଅଲ୍ଲୁ ଅର୍ଜୁନ ହିଁ ଶକ୍ତିମାନ ଚରିତ୍ରକୁ ପ୍ରମାଣିତ କରିବାର ଦକ୍ଷତା ରଖନ୍ତି । ଏହି ବୟାନ ପରେ ଅଲ୍ଲୁ ଅର୍ଜୁନଙ୍କୁ ଶକ୍ତିମାନ ଫିଲ୍ମ ସହିତ ଯୋଡ଼ା ଯାଉଛି । କିନ୍ତୁ ଫିଲ୍ମରେ କିଏ କିଏ ନଜର ଆସିବେ ? କାହାକୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ । ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଘୋଷଣା କରାଯାଇନାହିଁ । ଗତ ୨୦୨୨ରେ ଶକ୍ତିମାନ ଫିଲ୍ମ ଘୋଷଣା କରାଯାଇଥିଲା । ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ୍‌ କରାଯାଇଥିଲା । ଟିଭି ସିରିଜ୍‌ରେ ଶକ୍ତିମାନ ଚରିତ୍ରରେ ଲୋକଙ୍କ ହୃଦୟରେ ରାଜ୍‌ କରିଥିଲେ ମୁକେଶ ଖନ୍ନା । ନିକଟରେ ସେ ମଧ୍ୟ ଶକ୍ତିମାନକୁ ନେଇ ଏକ ଅଡିଓ ସିରିଜ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । 

୯୦ ଦଶକରେ ଶକ୍ତିମାନ ଚରିତ୍ରରେ ନଜର ଆସୁଥିଲେ ମୁକେଶ ଖନ୍ନା  । ଏହି ସିରିଏଲ୍ ମାଧ୍ୟମରେ ଛୋଟଛୋଟ ପିଲାଙ୍କୁ ନୈତିକ ଜ୍ଞାନ ଦିଆଯାଉଥିଲା । ମୋଟ ୪୫୦ଟି ଏପିସୋଡ୍‌ରେ ପ୍ରସ୍ତୁତ ହୋଇଥିବା ଏହି ସିରିଏଲ୍‌ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲା ।