କନକ ବ୍ୟୁରୋ : ‘ପୁଷ୍ପା-୨’ ଅଭିନେତା ଅଲ୍ଲୁ ଅର୍ଜୁନ ଘର ଉପରେ ଆକ୍ରମଣ। ହାଇଦ୍ରାବାଦରେ ଥିବା ତାଙ୍କ ଜୁବଲି ହିଲ୍‌ ରେସିଡେନ୍ସରେ ଓସମାନିଆ ୟୁନିଭର୍ସିଟିର ଜଏଣ୍ଟ ଆକ୍ସନ କମିଟିର କିଛି ସଦସ୍ୟ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ଆକ୍ରମଣରେ ଘରର କିଛି ଜିନିଷ ନଷ୍ଟ ହୋଇଥିବାର ଖବର ମିଳିଛି। ସେମାନେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଂଚି ୮ ଜଣଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ଘଟିବା ବେଳେ ଅଲ୍ଲୁ ଅର୍ଜୁନ ନିଜ ଘରେ ନଥିଲେ। ଡିସେମ୍ବର ୪ରେ ହାଇଦ୍ରାବାଦରେ ଏକ ଫିଲ୍ମ ହଲ୍ ନିକଟରେ ଦଳାଚକଟା ଘଟି ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିଲା। ‘ପୁଷ୍ପା-୨’ ଫିଲ୍ମର ପ୍ରିମୟର ପାଇଁ ଅଲ୍ଲୁ ଅର୍ଜୁନ ଏହି ହଲ୍‌କୁ୍‌ ଯାଇଥିଲେ। ପୋଲିସର ବାରଣ ସତ୍ବେ ପୁଷ୍ପା-୨ ଅଭିନେତା ସେହି ଫିଲ୍ମ ହଲକୁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ଏତଲା ପରେ ଅଲ୍ଲୁ ଅର୍ଜୁନ୍ ଜେଲ୍ ଯାଇ ଜାମିନରେ ମୁକୁଳି ଆସିଛନ୍ତି।