Odisha Photograph: (kanak news)
କନକ ବ୍ୟୁରୋ : ରାଜ୍ୟର ଲକ୍ଷ ଲକ୍ଷ ଯୋଗ୍ୟ ବୃଦ୍ଧ ବୃଦ୍ଧା ଭତ୍ତା ପାଇବାକୁ ଅପେକ୍ଷା କରିଥିବାବେଳେ, ସରକାରୀ ଖାତାରେ କୁଷ୍ଠରୋଗୀ ଦେଖାଇ ଭତ୍ତା ଖାଇଗଲେ କର୍ମଚାରୀ। ଗାଁରେ ଜଣେ ବି କୁଷ୍ଠରୋଗୀ ନଥିବାବେଳେ ସରକାରୀ ରିପୋର୍ଟରେ ମିଛ ରିପୋର୍ଟ ଦେଖାଇ ଉଠାଯାଇଛି ଟଙ୍କା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ତରିମୂଳ ଗାଁ। ଏହି ଗାଁର ୧୩୫ଜଣ କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଭତ୍ତା ପାଉଥିବା ସରକାରୀ ଭାବେ ଦର୍ଶାଯାଇଛି। ଅନ୍ଲାଇନ୍ରେ ଏ ତଥ୍ୟ ପାଇବା ପରେ ଗ୍ରାମବାସୀ ହତବାକ୍ ହୋଇଛନ୍ତି। କିଛି ମହିଳା ଏବଂ ପୁରୁଷଙ୍କର ବୟସ ଜାଲିଆତି କରି ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଲା ଗାଁରେ କେହି ବି କୁଷ୍ଠରୋଗୀ ନଥିବାବେଳେ ଉତ୍ତା କାହାକୁ ମିଳିନଥିବା ଗ୍ରାମବାସୀ କହିଛନ୍ତି ।
ତରିମୂଳ ଗ୍ରାମ ପଞ୍ଚାୟତର ତରିମୂଳ ସେମତ, ରେକୁଟିଆ ଗାଁର ୪୯ ଜଣ, କଣ୍ଟାରୋହି ଗାଁର ୧୪ ଏବଂ ତୁଳସୀପୁରର ୭ଜଣ, ମୋଟ ୨୦୫ ଜଣଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଥିବା ଉଲ୍ଲେଖ କରାଯାଇ ଭତ୍ତା ଦିଆଯାଇଛି। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି କି, ଏମାନଙ୍କୁ ମୃତ ଦର୍ଶାଇ ୨୦୨୫ ମସିହା ଡ଼ିସେମ୍ବର ୩୧ ତାରିଖରେ ହଠାତ୍ ୱେବ୍ସାଇଟ୍ରୁ ଡ଼ିଲିଟ୍ କରିଦିଆଯାଇଛି। ଏହି ତଥ୍ୟ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପ୍ରକାଶ କରିବା ସହିତ, କିଏ, କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ କହିଛି, ତଦନ୍ତ କରିବାକୁ ଦାବି କରିଛି। ସେପଟେ ଏହା ଏକ ଭୁଲ୍ ବୋଲି କହିଛନ୍ତି ଘସିପୁରା ବିଡିଓ। କହିଛନ୍ତି, ୨୦୧୧ରେ ଅନ୍ଲାଇନ୍ ପୋର୍ଟାଲ୍ରେ ଏହି ଭୁଲ୍ ତଥ୍ୟ ପ୍ରକାଶ ପାଇଥିଲା। ପରେ ଏହି ତଥ୍ୟକୁ କୁଷ୍ଠରୋଗ ଅଧୀନକୁ ଆଣି ଡିଲିଟ୍ କରାଯାଇଥିଲା। ଯେଉଁମାନେ ଭୁଲ୍ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ କହିଛନ୍ତି ।
Follow Us