କନକ ବ୍ୟୁରୋ : ଭାରତର ଗୁପ୍ତ ପ୍ରସ୍ତୁତି ଦେଖି ଥରହର ପାକିସ୍ତାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ୍ ବୈଠକ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଦିଲ୍ଲୀରୁ ଅନୁମତି ମିଳିବା କ୍ଷଣି ଆକାଶରୁ ହେବ ବୋମା ବର୍ଷା, ସୀମାରୁ ହେବ ଗୁଳିମାଡ ଏବଂ ସମୁଦ୍ରପଥରେ ମିସାଇଲ ରଚିବ ଆତଙ୍କ । ଆଉ ଦୋହଲି ଯିବ ଶତ୍ରୁ ଦେଶ ପାକିସ୍ତାନ । 

Advertisment

ଦିଲ୍ଲୀରେ ବୈଠକ, ପାକିସ୍ତାନରେ ଛନକା । ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ଆକ୍ସନପ୍ଲାନ ପ୍ରସ୍ତୁତ କରୁଛି ଭାରତ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ, ରାଜନୀତି ବ୍ୟାପାର ସମ୍ପର୍କିତ କ୍ୟାବିନେଟ ବୈଠକ, ଅର୍ଥନୀତି ସମ୍ବନ୍ଧୀୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ଏହାପୂର୍ବରୁ ୩ ସେନାର ପ୍ରମୁଖଙ୍କ ସହ ଆକ୍ସନପ୍ଲାନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ କରି ପୂର୍ବତନ ର ଚିଫ୍ ଆଲୋକ ଜୋଶୀଙ୍କୁ ଦାୟିତ୍ବ ଦିଆଯାଇଛି । ଯାହା ସଂକେତ ଦେଉଛି ଭିତରେ ଭିତରେ ହିଁ ପାକିସ୍ତାନ ଉପରେ ପ୍ରହାର କରିବାକୁ ଚାଲିଛି ବଡ ପ୍ରସ୍ତୁତି । ରାଜନୀତି ବ୍ୟାପାର ସମ୍ପର୍କିତ କ୍ୟାବିନେଟ ବୈଠକ ବସିବା ମଧ୍ୟ ଏଭଳି ଦିଗକୁ ଇଙ୍ଗିତ କରୁଛି । କାରଣ ପୁଲୱାମା ଆକ୍ରମଣ ପରେ ଶେଷଥର ପାଇଁ ୨୦୧୯ରେ ବସିଥିଲା ଏହି ବୈଠକ । ଏହା ପରେ ପରେ ବାଲାକୋଟରେ ଏୟାରଷ୍ଟ୍ରାଇକ ଦେଖିଥିଲା ପାକିସ୍ତାନ । ଏବେ ସିସିପିଏ ବୈଠକ ସଂକେତ ଦେଉଛି ସେନା କେବଳ ଅନୁମତିକୁ ଅପେକ୍ଷା କରିଛି । 

ଭାରତର ପ୍ରସ୍ତୁତି ପାକିସ୍ତାନରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ଏୟାରଷ୍ଟ୍ରାଇକ ଭୟରେ ସୀମାରେ ଥିବା ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ଆତଙ୍କବାଦୀଙ୍କୁ ଲୁଚାଉଛି ପାକ୍ ସେନା । ଅନ୍ୟପଟେ ପାକିସ୍ତାନକୁ ଚକମା ଦେବାକୁ ନୌସେନା ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବା ସହ ଲେଖିଛି କୌଣସି ମିଶନ ବେଶି ଦୂର ନୁହେଁ, କୌଣସି ସମୁଦ୍ର ଏବେ ବଡ଼ ନୁହେଁ । ଏସବୁ ଭିତରେ ଏଲଓସିରେ ରାତିଅଧିଆ ଗୁଳିବର୍ଷା ଆରମ୍ଭ କରିଛି ପାକିସ୍ତାନ । ଯାହାର ମୁହଁତୋଡ ଜବାବ ଦେବାକୁ ସେନା ସହ ଏବେ ସାମ୍ନାକୁ ଆସିଛନ୍ତି ଏଲଓସି ଅଞ୍ଚଳରେ ଥିବା ସ୍ଥାନୀୟ ଲୋକ । କହିଛନ୍ତି, ଏବେ ସେନା ସହ ଆମେ ବର୍ଡରକୁ ଯିବୁ । ପାକିସ୍ତାନକୁ ତା ଭାଷାରେ ଜବାବ ଦେବୁ । ୩ ସେନା ପ୍ରମୁଖ ଓ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ଶେଷ ହୋଇଛି । ସେନାକୁ ଆକ୍ସନ ନେବାକୁ ପୂର୍ଣ୍ଣ ସ୍ବାଧୀନତା ମିଳିଛି । ଏସବୁ ଭିତରେ ଅପେକ୍ଷା କେବଳ ଅନୁମତିକୁ । ଆଉ ତାପରେ ପାକିସ୍ତାନ ଉପରେ ବସିବ ବଜ୍ର ପ୍ରହାର ।