କନକ ବ୍ୟୁରୋ : ବିପଦରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଛପୋଲିଆ ସେତୁ । ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ପୋଲ ଭାଙ୍ଗିବାକୁ ବସିଲାଣି । ଛପୋଲିଆ ଆହାର ନାଳ ପୋତି ହେବାକୁ ବସିଲାଣି । ତୁରନ୍ତ ନାଳର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ଚାଷୀ ଓ ମତ୍ସ୍ୟଜୀବୀ ପରିବାର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଛପୋଲିଆ ଆହାର ନାଳ , ୧୩ ପଞ୍ଚାୟତର ଶହ ଶହ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା । ଏହା ଏବେ ଦଳ ଭର୍ତ୍ତି ହୋଇ ପୋତି ହେବାକୁ ବସିଛି । ନା ଜମିରୁ ଜଳ ନିଷ୍କାସନ ହୋଇପାରୁଛି, ନା ମତ୍ସ୍ୟଜୀବୀ ମାଛ ମାରିପାରୁଛନ୍ତି । ନାଳ ଉପରେ ଥିବା ପୋଲ ଅବସ୍ଥା ବି ଦୟନୀୟ , ଏଥିରେ ୧୨ଟି ଗେଟ୍ ରହିଛି। ମରାମତି ଅଭାବରୁ ପୋଲଟି ଭାଙ୍ଗିବା ଅବସ୍ଥାରେ । କଂକ୍ରିଟ୍ ଖସୁଛି, ଗେଟ୍ ବି ଭାଙ୍ଗିଗଲାଣି । ୧୦ ବର୍ଷ ହେଲା ଏହାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ଆସିଛି ।
୨୦୧୩-୧୪ରେ ରମ୍ଭିଳା ଠାରେ ଏକ ସେତୁ ନିର୍ମାଣ ହୋଇଛି। ତେଣୁ ଜୁଆର ପାଣି ଆଉ ନାଳକୁ ଆସୁନାହିଁ । ଜଳପ୍ରବାହ ନଥିବାରୁ ନାଳଟି ଦଳ ଭର୍ତ୍ତି ହୋଇଯାଇଛି । ଅନ୍ୟପଟେ ପୂର୍ତ୍ତ ବିଭାଗ, ଡ୍ରେନେଜ ଓ ଜଳସମ୍ପଦ ବିଭାଗ ସହ ଆଲୋଚନା କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତୁରନ୍ତ ଛପୋଲିଆ ପୋଲ ଓ ଆହାର ନାଳର ପୁନରୁଦ୍ଧାର କରାନଗଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।