କନକ ବ୍ୟୁରୋ: ମାନବିକତାର ସବୁ ସୀମା ଟପିଗଲେ । ବାଡ଼ି ଭିତରେ ଗାଈ ପଶିଯିବାରୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସ୍ଥିତ ମାରୁତି ବିହାରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ସେହି ଅଞ୍ଚଳର ଏମ. ରାମ କ୍ରିଷ୍ଣାଙ୍କର ଏକ ଗାଈ ଫାର୍ମ ରହିଛି । ଗାଈ ଗୁଡ଼ିକ ଚରିବା ପାଇ ଦିନରେ ଏଣେତେଣେ ବୁଲୁଥିବା ବେଳେ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଯାଇଥିଲେ । ଏହାପରେ ଉକ୍ତ ବ୍ୟକ୍ତି ଜଣଙ୍କ ଗାଈ ଉପରକୁ ଏସିଡ ମାଡ଼ କରିଥିବା ଅଭିଯୋଗ ହୋଇଛି । ଏନେଇ ଗାଈ ମାଲିକ କ୍ରିଷ୍ଣା ପ୍ରତିବାଦ କରିବା ସହ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ କ୍ରିଷ୍ଣା ଗାଈଗୁଡ଼ିକର ଚିକିତ୍ସା ଆରମ୍ଭ କରିଥିଲେ ବି ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଯଦି ଗାଈ ବାଡ଼ିରେ ପଶିଲେ, କିମ୍ବା ଯାତାୟାତରେ ବାଧା ଦେଲେ ତେବେ ମହାନଗର ନିଗମକୁ ଅଭିଯୋଗ କରିବା ବଦଳରେ କାହିଁକି ଏସିଡ ମାଡ଼ କରାଯାଇଛି ତାକୁ ନେଇ ବିଭିନ୍ନ ମହଲାରେ ନିନ୍ଦା କରାଯାଇଛି । ପୁଲିସ ତଦନ୍ତ କରି ଜଣକୁ ଥାନା ଅଟକ ରଖିଥିବା ସୂଚନା ମିଳିଛି ।