କନକ ବ୍ୟୁରୋ: ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ। ଅଭିଯୋଗ ଆସିବା ପରେ ମାମଲା ଏବେ ପହଞ୍ଚିଛି ସୁପ୍ରିମକୋର୍ଟରେ । ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ସିଏମ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଏର କରିଛନ୍ତି ଆଇନଜୀବୀ । ସେପଟେ ପ୍ରସାଦର ସ୍ବଚ୍ଛତା ନେଇ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

Advertisment
  • ତିରୁପତିଙ୍କ ପ୍ରସାଦରେ ପଶୁ ଚର୍ବି ଅଭିଯୋଗ
  • ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ

କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ତିରୁପତିରୁ ଆସିଛି ସାଂଘାତିକ ଘଟଣା । ମନ୍ଦିରରେ ବର୍ଷ ବର୍ଷ ଧରି ପ୍ରସ୍ତୁତ ହେଉଥିବା ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ। ଏଭଳି ଚାଂଚଲ୍ୟର ଅଭିଯୋଗ ଶାସକ ଟିଡିପି ଆଣିବା ପରେ ତେଜିବାରେ ଲାଗିଛି ବିବାଦ । ଗୁଜରାଟର ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଲେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା ବି ଏନେଇ ଜାରି କରିଛି ରିପୋର୍ଟ । ରିପୋର୍ଟରେ ଯାହା ସାମ୍ନାକୁ ଆସିଛି ତାହା ସଭିଙ୍କ ହୋସ ଉଡାଇ ଦେଇଛି ।

ଲ୍ୟାବ ରିପୋର୍ଟରେ ସାଂଘାତିକ ତଥ୍ୟ

  • ତିରୁପତି ଲଡ଼ୁରେ ମିଶୁଛି ପଶୁ ଚର୍ବି, ମାଛ ତେଲ
  • ଲଡୁ ପାଇଁ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ରହିଥିଲା
  • ଘିଅରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିଲା
  • ତିରୁପତିଙ୍କ ମନ୍ଦିରରେ ଲଡୁ ଭୋଗ କରାଯାଉଥିଲା
  • ଲ୍ୟାବ୍‌ର ରିପୋର୍ଟକୁ ଜାରି କରିଛି ଶାସକ ତେଲଗୁ ଦେଶମ ପାର୍ଟି
  • ରିପୋର୍ଟକୁ ଭିତ୍ତିହୀନ କହିଲା ଘିଅ ଯୋଗାଉଥିବା କମ୍ପାନୀ
  • କମ୍ପାନୀର ଦାବି, ‘ଘିଅ ଶତ ପ୍ରତିଶ୍ରୁତି ଶୁଦ୍ଧ’

ରିପୋର୍ଟ ଆସିବା ପରେ ଆନ୍ଧ୍ରପ୍ରଦେଶରେ  ଶାସକ ଦଳ ତେଲୁଗୁଦେଶମ ଓ ବିରୋଧୀ ୱାଇଏସଆର କଂଗ୍ରେସ  ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ୱାଇଏସଆର କଂଗ୍ରେସ କହିଛି, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁ।

ସେପଟେ ତିରୁପତି ମନ୍ଦିର ପ୍ରସାଦକୁ ନେଇ ସାଂଘାତିକ ତଥ୍ୟ ଆସିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିଭିନ୍ନ ମନ୍ଦିରର ପୂଜକ । ରାମ ମନ୍ଦିର ମୁଖ୍ୟ ପୂଜକ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜାବି କରିଛନ୍ତି । ସେହିପରି ବିଜେପି ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିବା ସହ ତଦନ୍ତ ଦାବି କରିଛି । ସେପଟେ କଂଗ୍ରେସ କହିଛି ଲୋକଙ୍କ ଆସ୍ଥା ସହ ଏଭଳି ଖେଳ ବରଦାସ୍ତ କରାଯିବନାହିଁ ।

ତିରୁପିତ ମନ୍ଦିର ପ୍ରସାଦକୁ ନେଇ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିବା ପରେ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି । ଘଟଣାର ସତ୍ୟାସତ୍ୟ ଯାଞ୍ଚ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦାବି ଜୋର ଧରିଛି ।