କନକ ବ୍ୟୁରୋ: ମଣିଷ ପଶୁ ପାଲଟିଯାଇ ଜହ୍ଲାଦ ଭଳି ବର୍ବରକାଣ୍ଡ ଘଟାଇଥିବା ଘଟଣା ତ ଆପଣ ଅନେକ ଦେଖିଥିବେ ହେଲେ ଅମାନୁଷିକତାର ସବୁ ସୀମା ଟପିଗଲା ଭଳି ଘଟଣା ସମ୍ବଲପୁର ନେତାଜୀ ନଗରସ୍ଥିତ ଥଇଥାନ କେନ୍ଦ୍ରରୁ ଆସିଛି । ଆଉ ସେହି ଛାତିଥରା ଭିଡ଼ିଓ ନିଆଁ ଭଳି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା କି ଆମେ ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ କିମ୍ବା ଆପଣ ତାକୁ ଦେଖିଲେ ବି ନିଜକୁ ସମ୍ଭାଳିପାରିବେନି । ପ୍ଲାଷ୍ଟିକ୍ ପାଇପରେ ପାହାର ପରେ ପାହାର, ମୁହଁ, ପିଠି, ପେଟ ଅଣ୍ଟା ଭଳି ଶରୀରର ସବୁଠି ଆଖିବୁଜା ଗୋଇଠା । ଏତିକିରେ ମନ ଶାନ୍ତି ହେଇନଥିଲା ଯେ, କୁକୁର ଭଳି ଖାଦ୍ୟ ଅନ୍ତେବାସୀଙ୍କ ମୁହଁକୁ ଫିଙ୍ଗିବା, ଅସଭ୍ୟ ଭାଷାରେ ଗାଳିଗୁଲଜ ଦେବା ଭଳି ଅକଥନୀୟ ଅତ୍ୟାଚର କରିଛନ୍ତି ସମ୍ବଲପୁର ‘ସମର୍ଥ’ କେନ୍ଦ୍ରର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ୱାଗତିକା ପ୍ରଧାନ ।
ଜଣ ଜଣ କରି ମାନସିକ ବିକାରଗ୍ରସ୍ତ ଥିବା ଆନ୍ତେବାସୀଙ୍କୁ ଆଖିବୁଜା ବେତ ପାହାର ଆଉ ଅଧ ରାତିରେ ଶୋଇବା ବଦଳରେ ଶାସ୍ତି । ଓଃ କି ନିର୍ଯାତନା ଅତ୍ୟାଚାରର ସେ ଦୃଶ୍ୟ, ଏମିତି କେମିତି କା ମଣିଷ ସେମାନେ ଯେ, ନିଜର ହିତାହିତ୍ୟ ଜ୍ଞାନ ହରେଇ ସୈତାନ ପାଲଟିଯାଇଛନ୍ତି । ସମ୍ବଲପୁର ‘ସମର୍ଥ’ ରିହାବ ସେଣ୍ଟର ଏଭଳି ଅତ୍ୟାଚାର ଭିଡ଼ିଓକୁ ଯିଏ କେହି ସୋସିଆଲ ମିଡ଼ିଆରେ ଦେଖୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି ।
ତେବେ ଏ ଘଟଣା ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳଙ୍କ ଦୃଷ୍ଟିଗୋଚର ହେବା ପରେ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବିଧାୟକ ନିଜେ ସମର୍ଥ ଥଇଥାନ କେନ୍ଦ୍ରରକୁ ଯାଇଥିଲେ । ଭିତରକୁ ପଶିଲା ବେଳେ ଜଣେ ଜଣେ ଅନ୍ତେବାସୀଙ୍କ ମୁହଁରୁ ସତ ଶୁଣିବା ପରେ ଜିଲ୍ଲାପାଳଙ୍କୁ ଜଣାଇବାଥିଲେ । ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ସବୁ ସତ ସାମ୍ନାକୁ ଆସିବା ପରେ ସମର୍ଥ ରିହାବ ସେଣ୍ଟରକୁ ବ୍ଲାକ୍ ଲିଷ୍ଟ କରିବା ସହ ସମ୍ପାଦକଙ୍କୁ ଅଟକ ରଖିଛି ପୋଲିସ ।
ସତରେ ମଣିଷ ଏତେ ତଳକୁ କେମିତି ଖସିପାରେ? ମାନସିକ ବିକାରଗ୍ରସ୍ତ ବୋଲି ବୁଝିବା ଶକ୍ତି ସେମାନଙ୍କ ପାଖରେ ନଥାଏ, ତା’ ବୋଲି ଆଖିବୁଜା ଗୋଇଠା, ନିର୍ଦ୍ଦୟ ହୋଇ ପିଟିବାକୁ ହାତ କେମିତି ଗଲା? ଯେଉଁ ଥଇଥାନ କେନ୍ଦ୍ରକୁ ସୁରକ୍ଷିତ ରହିବାକୁ ଆସିଥିଲେ ସେଠି ଏଭଳି ମଣିଷରୂପୀ ପଶୁମାନେ ରହୁଥିବେ ବୋଲି କିଏ ଜାଣିଥିଲା? ଆଜି ସମ୍ବଲପୁରରେ ଏଭଳି ଘଟଣା ସାମ୍ନାକୁ ଆସିଲା ବୋଲି ଅତ୍ୟାଚାରର କାହାଣୀ ଜଣାପଡ଼ିଲା । ହେଲେ ଯଦି ଏମିତି କୌଣସି ରିହାବ ସେଣ୍ଟରରେ ଘଟୁଛି ତେବେ ତୁରନ୍ତ ଆପଣ ସ୍ଥାନୀୟ ପୋଲିସ ପ୍ରଶାସନକୁ ଜଣାନ୍ତୁ ଯାହାଦ୍ୱାରା ମାନସିକ ଅନଗ୍ରସରମାନେ ସୁରକ୍ଷିତ ରହିବେ ।
Follow Us