କନକ ବ୍ୟୁରୋ:  ଦୃଷ୍ଟିହୀନ ମାଆକୋଳରୁ ଶିଶୁପୁତ୍ର ଚୋରି ।  ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ଦୃଷ୍ଟିହୀନ ମହିଳା ଗତକାଲି ରାତିରେ ରାମ ମନ୍ଦିର ସାମ୍ନାରେ ଶୋଇଥିଲେ । ରାତି ପ୍ରାୟ ୨ଟା ବେଳେ ତାଙ୍କ କୋଳରୁ ଶିଶୁପୁତ୍ରକୁ କେହି ନେଇଯାଇଛି । ଶିଶୁର ବୟସ ମାତ୍ର ଦେଢ଼ବର୍ଷ ହେବ। କେବଳ ଶିଶୁଚୋରି ଅଭିଯୋଗ ନୁହେଁ, ମହିଳା ଜଣଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି ଯେ ଅଙ୍ଗ ତସ୍କରୀ ପାଇଁ ଶିଶୁକୁ ଅପହରଣ କରାଯାଇଛି ।

Advertisment

 ଏନେଇ ସେ ଖାରବେଳ ନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ଛାନ୍‌ଭିନ ଆରମ୍ଭ କରିଛି ଖାରବେଳ ନଗର ଥାନା ପୁଲିସ । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ କରୁଛି ପୁଲିସ । ଅଙ୍ଗ ତସ୍କରୀ ପାଇଁ ପିଲା ଚୋରି ଅଭିଯୋଗ ଆସିଥିବାରୁ ଘଟଣାକୁ ପୁଲିସ ଗୁରୁତର ସହ ନେଇଛି। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବ ଓ ଅପହୃତ ଶିଶୁକୁ ଉଦ୍ଧାର ସହ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ଆଖିରୁ ଲୁହ ଶୁଖୁନି କି ପୁଅକୁ ଫେରି ପାଇବା ନେଇ ଯିଏ ଯେତେ ଭରସା ଦେଲେ ବି ମନ ବୁଝୁନି । ପୁଅକୁ ଫେରାଇ ଆଣିବା ପାଇଁ ଏହି ମହିଳା ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛନ୍ତି ।