କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲାରେ ଚାଲିଛି କମ୍ପାନୀ ରାଜ । ବେଧଡକ ଭାବରେ ନଦୀ ମାନଙ୍କରୁ ବେଆଇନ ଭାବରେ ପାଣି ଉଠାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ରହିଥିବା ଅଭିଯୋଗ ହୋଇଛି । ଝାରସୁଗୁଡା ଜିଲ୍ଲାରେ ଏସ ଏମ ସି କମ୍ପାନି ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଭେଡେନ ନଦୀରୁ ବେଆଇନ ଭାବରେ ପାଣି ଟାଣି ନେଉଛି । ଯାହାକୁ ନେଇ ଗ୍ରମାବାସୀ ୧୦ ଦିନ ତଳେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ପମ୍ପ ହାଉସ ସମ୍ମୁଖରେ ବସି ଆନନ୍ଳେନ କରିଛନ୍ତି  ।

Advertisment

ଦିନ ଦ୍ବିପ୍ରହରେ ଭେଡେନ ଓ ଇବ୍ ନଦୀରୁ ପମ୍ପହାଉସ କରି ପାଣି ଶୋଷୁଛି କମ୍ପାନି । ଝାରସୁଗୁଡା ଜିଲ୍ଲା ହିର୍ମା ଗାଁରେ ଏସଏମସି କମ୍ପାନୀ ସ୍ଥାପନ ହୋଇଥିବା ବେଳେ ଖରାଦିନେ ନଦୀରେ ବନ୍ଧ କରି ପାଣି ଶୋଷୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିନା ଅନୁମତିରେ କିଭଳି ପମ୍ପହାଉସ କରି ପାଣି ଉଠାଣ କରାଯାଉଛି ତାକୁ ନେଇ ଗାଁ ଲୋକେ ପ୍ରଶ୍ନ ଉଠାଇଛନ୍ତି । ପଂଚାୟତବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାଦିନେ ପାଣି ଉଠାଯାଉଥିବାରୁ ମଣିଷ ତ ଦୂରର କଥା ଗାଈଗୋରୁଙ୍କୁ ବି ପିଇବାକୁ ପାଣି ମିଳୁନି । 

ପାଣି ସମସ୍ୟାକୁ ନେଇ କିଛିଦିନ ତଳେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଗ୍ରମବାସୀ । ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଅଂଚଳବାସୀ ହିର୍ମା ସ୍ଥିତ କମ୍ପାନିର ପମ୍ପ ହାଉସ ତଳେ ଆନ୍ଦୋଳନ କରିବା ସହ ପମ୍ପହାଉସକୁ ବନ୍ଦ କରିଥିଲେ । ଅନ୍ୟପଟେ କମ୍ପାନି କର୍ତ୍ତୁପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଖରାଦିନେ ସାଧାରଣ ଲୋକ ପାଣି ମୁନ୍ଦାଏ ପାଇବା କଷ୍ଟକର ହେଉଥିବା ବେଳେ ଝାରସୁଗୁଡା ଜିଲ୍ଲାରେ କମ୍ପାନି ସ୍ୱାର୍ଥ ପାଇଁ ପ୍ରଶାସନ କିଛି ପଦକ୍ଷେପ ନନେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।