କନକ ବ୍ୟୁରୋ : ଗାଁ ଲୋକଙ୍କୁ ମୈାଳିକ ସୁବିଧା ଯୋଗାଇବା ପାଇଁ ସରକାରୀ ସ୍ତରରେ ସ୍ୱତନ୍ତ୍ର ଯୋଜନା ଓ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଦିଗହରା ହେଉଛି ଯୋଜନା । ସରକାରୀ ପାଣ୍ଠି ବାଟ ମାରଣା ହେଉଛି । ଯାହାର ଫଳ ଭୋଗୁଛନ୍ତି ସାଧାରଣ ଜନତା। 

Advertisment

ଦେବଗଡ଼ ତିଲେଇବଣୀ ବ୍ଲକର ୪ଟି ପଞ୍ଚାୟତରେ ପୁରୁଣା ରାସ୍ତା ଓ ପୋଲ ମରାମତି ନିମନ୍ତେ ଜିଲ୍ଲା ପରିଷଦ ତରଫରୁ ମଞ୍ଜୁରି ମିଳିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ପ୍ରକଳ୍ପ ପାଇଁ ୧କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ନିୟମ ଅନୁସାରେ, ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଅନୁମୋଦିତ ରାଶିକୁ ଅନ୍ୟ କୌଣସି ପ୍ରକଳ୍ପରେ ବ୍ୟବହାର କରାଯାଇପାରିବ ପାହିଁ । ହେଲେ ତିଲେଇବଣୀରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗୋଟିଏ ରାସ୍ତା ପାଇଁ ଆସିଥିବା ଅନୁଦାନରେ ଆଉ ଏକ ରାସ୍ତା କାମ କରାଉଥିବା ଅଭିଯୋଗ ହୋଇଛି ।

୨ଶହ ମିଟର ରାସ୍ତା ପାଇଁ ୫ଲକ୍ଷ ଟଙ୍କା ହିସାବରେ ଖର୍ଚ୍ଚ କରୁଛନ୍ତି ବିଭାଗୀୟ ଯନ୍ତ୍ରୀ। ବଡ଼ ବିଡ଼ମ୍ବନା, ପ୍ରକଳ୍ପ ସ୍ଥାନରେ ସୂଚନା ଫଳକ ଲଗାଯାଉନାହିଁ। ଫଳରେ ଗାଁରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀ କୌଣସି ତଥ୍ୟ ପାଇପାରୁନାହାଁନ୍ତି। ପିସି ଲୋଭରେ ବିଭାଗୀୟ ଯନ୍ତ୍ରୀ ଟଙ୍କା ଏପଟସେପଟ କରୁଥିବା ଅଭିଯୋଗ କରାଯାଇଛି। ସେପଟେ ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। 

ଦେବଗଡ଼ର ବାରକୋଟ, ରିଆମାଳ ଓ ତିଲେଇବଣୀ ବ୍ଲକରେ ୮୦ଟି ପ୍ରକଳ୍ପ ପାଇଁ ୩ କୋଟି ୯୫ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ତିଲେଇବଣୀ ବ୍ଲକ ପାଇଁ ସର୍ବାଧିକ ଏବଂ ଏକ ନିର୍ଦ୍ଦିଷ୍ଟ ପଞ୍ଚାୟତକୁ ୧୯ଟି ପ୍ରକଳ୍ପ ମିଳିବା ପରେ ସରକାରୀ ଅର୍ଥ ହଡପ ପାଇଁ ଏକ ସୁଚିନ୍ତିତ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି ।