କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମରେ ଚୁକ୍ତିନାମାକୁ ଉଲଂଘନ କରି କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ । ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଓ ଏହାର ପରିଚାଳନା ନାଁରେ ଦୁର୍ନୀତି । ୨୦୧୮ରେ ପୁଣେ ସ୍ଥିତ ମାୟୋ ଭେସେଲ୍ସ୍ ପ୍ରାଇଭେଟ୍ ଲିମିଟେଡ଼ ଓ ଗ୍ରୀନ ସର୍କଲ ପ୍ରାଇଭେଟ୍ ଲିମିଟେଡ଼ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ହେଲେ ୬ବର୍ଷ ତଳେ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଚୁକ୍ତିନାମାକୁ ବ୍ରହ୍ମପୁର ମହାନଗର ନିଗମ ଓ ଅନ୍ୟ ଅଂଶୀଦାର କମ୍ପାନି ଶ୍ରୀକୃପା ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଖିଲାପ କରିଥିବା ଅଭିଯୋଗ ଆଣିଛନ୍ତି ଚୁକ୍ତି କରିଥିବା ପୁଣେ କମ୍ପାନି । ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଲୁଟିଛନ୍ତି, ଯାହାର ହିସାବ କାହା ପାଖରେ ନାହିଁ । ବାରମ୍ୱାର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଇ ନିରାଶ ହେବା ପରେ ଅଦାଲତର ଆଶ୍ରୟ ନେଇଛି କମ୍ପାନି ।
ଚୁକ୍ତିନାମା ଅନୁସାରେ ଏହି ପ୍ରକଳ୍ପ ପାଇଁ ମାୟୋ ଭେସେଲ୍ସ ଯନ୍ତ୍ରପାତି, ପରିଚାଳନା କେନ୍ଦ୍ର ଡିଜାଇନ୍ କରିବା କଥା
ଗ୍ରୀନ୍ ସର୍କଲ ଏହାର ପରିଚାଳନା କରିବାର ଦାୟିତ୍ୱ ନେବ
ଶ୍ରୀକୃପା ସର୍ଭିସ କେବଳ ଅର୍ଥ ନିବେଶ କରିବ ବୋଲି ଚୁକ୍ତି ହୋଇଥିଲା
୨୦ବର୍ଷ ଧରି ଚାଲିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା
ଯନ୍ତ୍ରପାତି ସ୍ଥାପନ ହୋଇ ୬ ମାସ ମଧ୍ୟରେ ଏହାର ପରୀକ୍ଷଣ ପାଇଁ ନିଷ୍ପତି ନିଆଯାଇଥିଲା
ହେଲେ ଶ୍ରୀକୃପା କମ୍ପାନି ଅଗ୍ରୀମ ନେଇଥିବା ୪ କୋଟି ଟଙ୍କା ବିନିଯୋଗ କରିନାହିଁ
ଫଳରେ ଚୁକ୍ତିନାମାର ୬ବର୍ଷ ପରେ ପ୍ରକଳ୍ପକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି
ପରବର୍ତ୍ତୀ ସମୟରେ ଏହି କମ୍ପାନି ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ପ୍ରକଳ୍ପ ନାଁରେ ଉଠାଇଥିବା, ପୁଣେ କମ୍ପାନି ଅଭିଯୋଗ କରିଛନ୍ତି । ରାଜ୍ୟରେ ନୂଆ ସରକାର ଆସିବା ପରେ ଅଭିଯୋଗକୁ ଭିତ୍ତକରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦେଖାଯାଉ ରିପୋର୍ଟ କଣ ଆସୁଛି ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।