କନକ ବ୍ୟୁରୋ:  ଟଙ୍କା ଆଦାୟ ହେଉଛି କିନ୍ତୁ, ସରକାରୀ ତହବିଲରୁ ଲୁଟ ଚାଲିଛି। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା । ଆରଟିଆଇ ତଥ୍ୟ ଖୋଲି ଦେଇଛି ଛତ୍ର ବଜାର ଅର୍ବାନ ହାଟରେ ଚାଲିଥିବା ବଡ଼ ଦୁର୍ନୀତିର ଗୁମର । ୨୦୨୨ ସେପ୍ଟେମ୍ବର ୧୭ରୁ ସେହିବର୍ଷ ଡିସେମ୍ବର ମାସର ତଥ୍ୟରେ ନାହିଁ ତାଳମେଳ। ୪ ମାସରେ ୫୪୫ ପିଣ୍ଡିରୁ ପ୍ରତ୍ୟେକ ଦିନ କୋଡ଼ିଏ ଟଙ୍କା ଲେଖାଏଁ ଆଦାୟ କରିଛି କଟକ ମହାନଗର ନିଗମ । ଅର୍ଥାତ ପ୍ରାୟ ସାଢ଼େ ୩ ମାସରେ ୯ ଲକ୍ଷ ୮୧ ହଜାର ଟଙ୍କା ଆଦାୟ ହେବାକଥା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଆଦାୟ ହୋଇଛି ମାତ୍ର ୬ ଲକ୍ଷ ୮୮ ହଜାର ଟଙ୍କା। ପ୍ରଶ୍ନ ଉଠୁଛି ବାକି ୨ ଲକ୍ଷ ୯୩ ହଜାର ଗଲା କୁଆଡେ? ଟଙ୍କା ଆଦାୟ ହୋଇଛି ହେଲେ ସିଏମସି ପାଖରେ ପହଞ୍ଚିନି କେମିତି? ସାଧାରଣ ବ୍ୟବସାୟୀଙ୍କ ଠାରୁ ଆଦାୟ ଅର୍ଥ ମହାନଗର ନିଗମ ଅଧିକାରୀ ହେରଫେର କରିଥିବା ନେଇ ଅଭିଯୋଗ ଆଣି ନଗର ଉନ୍ନୟନ ବିଭାଗକୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ସୂଚନା ଅଧିକାର କର୍ମୀ ।
 
ପିଣ୍ଡି ବାଦ୍, ଖାଲି ଜାଗାରେ ବ୍ୟବସାୟୀଙ୍କୁ ବସିବାକୁ ବାରଣ ରହିଛି। ହେଲେ କିଛି ବ୍ୟବସାୟୀ ବାହାରେ ବସୁଛନ୍ତି । ଆଉ ତାଙ୍କ ଠାରୁ ଟିକସ ବାବଦକୁ ପଇସା ମଧ୍ୟ ନେଉଛି ମହାନଗର ନିଗମ। ଅର୍ବାନ୍ ହାଟରେ ପ୍ରତିଦିନ ବସୁଥିବା ଶହ ଶହ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ମଧ୍ୟ ପଇସା ଆଦାୟ ହୋଉଛି । କିନ୍ତୁ ସେମାନଙ୍କୁ ଆବଶ୍ୟକ ସୁବିଧା ଦିଆଯାଉ ନାହିଁ । ନା ଅଛି ପିଇବା ପାଣିର ସୁବିଧା ନା ଅଛି ଶୌଚାଳୟ । ବ୍ୟବସାୟ ପରେ ବାହାରୁ ଥିବା ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ସଫେଇ କର୍ମଚାରୀ ନିଯୁକ୍ତି ହୋଇଥିଲେ ସୁଦ୍ଧା ଠିକ୍ ଭାବେ ସଫା ନହୋଇ ପଡ଼ି ରହୁଛି । ମହାନଗର ନିଗମ କମିଶନରଙ୍କୁ ପଚାରିବାରୁ ସେ କହିଛନ୍ତି ଏସବୁ ପ୍ରତି ନିଶ୍ଚୟ ଦୃଷ୍ଟି ଦେଇ ସୁଧାରିବାକୁ ଚେଷ୍ଟା କରିବୁ । ଏପରିକି ଆଉଗୋଟିଏ ନୂଆ ଅର୍ବାନ ହାଟ ନିର୍ମାଣ ପାଇଁ ମଧ୍ୟ ଯୋଜନା କରଯାଉଥିବା ସେ ସୂଚନା ଦେଇଛନ୍ତି ।  ମାତ୍ର ୪ ମାସର ତଥରୁ ବଡ଼ଧରଣର ଦୁର୍ନୀତି ପଦାରେ ପଡ଼ିଛି। ଏମିତି ବର୍ଷ ବର୍ଷ ଧରି ଟଙ୍କା ଆଦାୟ ହେଉଛି, ଆଉ ବାବୁଙ୍କ ପକେଟ୍ ଗରମ ବି ହେଉଛି । କିନ୍ତୁ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ ମହାନଗର ନିଗମ।  

Advertisment