କନକ ବ୍ୟୁରୋ: ଭକ୍ତଙ୍କ ବିଶ୍ବାସ ସହ ଖେଳ । ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ନେଇ ଆସିଲା ଅଭିଯୋଗ । ନବରଙ୍ଗପୁର ଗାଁ ବାଲିଯାତ୍ରା ସମୟରେ ପୂଜାରୀଙ୍କ ଦ୍ଵାରା ୩ଜଣ ରାମ ଭକ୍ତଙ୍କୁ ପ୍ରସାଦରେ ବିଷ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନଇେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାମ ଭକ୍ତ । ଅଭିଯୋଗ ଅନୁସାରେ, ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁରେ ଗତ ମେ ୨୬ ତାରିଖରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରା ପରମ୍ପରା ଅନୁସାରେ , ଗାଁ ମଧ୍ୟରେ ପଟୁଆର ପରିକ୍ରମା ସମୟରେ ବାଲିଯାତ୍ରାର ମୁଖ୍ୟ ଭୀମା ଭୀମାଣି ମୂର୍ତ୍ତିକୁ ଆଣିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମର କିଛି ଚକ୍ରାନ୍ତକାରୀ ବ୍ୟକ୍ତି ଦିଶାରୀଙ୍କ ଦ୍ଵାରା ୩ ଜଣ ରାମ ଭକ୍ତଙ୍କୁ ପ୍ରସାଦ ସେବନ କରିବା ପାଇଁ ଦେଇଥିଲେ । ଏହାପରେ ସେହି ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପରେ ଡଙ୍ଗରଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମେସମାନଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବିଷ ଦିଆଯାଇଥିବା ନେଇ ଡାକ୍ତର କହିଥିଲେ ବୋଲି ଅଭିଯୋଗ କରିଛନ୍ତି ରାମ ଭକ୍ତ ।
ସୁସ୍ଥ ହୋଇ ମେଡ଼ିକାଲରୁ ଘରକୁ ଫେରିବା ପରେ ରାମ ଭକ୍ତ ଏକାଠି ହୋଇ ପ୍ରଥମେ ଡଙ୍ଗରଭେଜା ଫାଣ୍ଡି ଓ ପରେ ନବରଙ୍ଗପୁର ଆସି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନଙ୍କୁ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୁଲିସ ।