କନକବ୍ୟୁରୋ: କଟକ ରୁଦ୍ର ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ । ଏନେଇ କନକ ନ୍ୟୁଜରେ ଘନ ଘନ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତଦନ୍ତ ପାଇଁ କବର ଖୋଳି ମୃତଦେହ ଜବତ କଲା ପୋଲିସ । ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ, ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ଦେହ ଦିଆଗଲା ।
ମେଡିକାଲ କର୍ମଚାରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା । ଏବେ ମେଡିକାଲ ବିରୋଧରେ ଅଙ୍ଗଚୋରିର ଅଭିଯୋଗ ଆଣିଛନ୍ତି ପରିବାର ଲୋକ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଲ ଗତ ୧୩ ତାରିଖରେ ସମ୍ପର୍କୀୟଙ୍କ ଘରକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରଥମେ ସ୍ଥାନୀୟ ହସ୍ପିଟାଲ ପରେ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ପରେ କଟକର ଘରୋଇ ରୁଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାବୁଲା ।
ଅସ୍ତ୍ରୋପଚାର ପାଇଁ ରୁଦ୍ର ମେଡିକାଲ ମୋଟା ଟଙ୍କା ବି ନେଲେ । ପ୍ରଥମେ ଅପରେସନ୍ ସଫଳ ହୋଇଥିବାବେଳେ ପରେ ବାବୁଲାଙ୍କ ମୃତ୍ୟୁ ହୋଇଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏବେ ପରିବାର ଲୋକ ବାବୁଲାଙ୍କ ଶରୀରରୁ ଅଙ୍ଗ ଚୋରି ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ମୃତ ବାବୁଲା ଦିଗାଲଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ତାଙ୍କ ପେଟ କାହିଁକି କଟାଯାଇଥିଲା
ସେନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ଏଥିସହ ବାବୁଲାଙ୍କ ମୃତଦେହରୁ କିଡ଼ନୀ ବାହାର କରାଯାଇଥିବା ବି ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଥାନାରେ ଏତଲା ଦେବା ପରେ କବର ଖୋଳି ତଦନ୍ତ ଆରମ୍ଭ କରିଛି ପୋଲିସ । ବାଲିଗୁଡା ମାଜିଷ୍ଟେଟ ସହକାରୀ କଲେକ୍ଟର ହରେକୃଷ୍ଣ ରାଉତ,
ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ, ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି, ଯୁଗଳ ନାୟକଙ୍କ ଉପସ୍ଥିତିରେ କବର ଖୋଳି ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏ ଘଟଣା ଏକ ବଡ଼ ଧରଣର ଅଙ୍ଗ ତସ୍କରୀ ନେଇ ଆଶଙ୍କା ସୃଷ୍ଟି କରିଛି ।