କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବଢିଲା ଅଡୁଆ । ଜଙ୍ଗଲ କିସମ ଜମିକୁ କବଜା କରି ଚଳାଉଥିଲେ ବିଜେଡି କାର୍ଯ୍ୟାଳୟ । ନୂଆ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହେଲା ମାପଚୁପ । ଲୋକଙ୍କ ଭିତରେ ଉଠିଲା ପ୍ରଶ୍ନ, ଉଛେଦ ହେବ କି ପ୍ରଣବଙ୍କ କାର୍ଯ୍ୟାଳୟ ?
ଅଭିଯୋଗ ଅନୁଯାୟୀ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ଆଲୋକ ଲେଙ୍କା ଧର୍ମଶାଳା ତହସିଲର ନୂଆଗାଁ ମୌଜାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ୫ଏକର ୪୦ ଡିସିମିଲ ଜମି ଜବର ଦଖଲ କରିଥିବା ନେଇ ଗତ ଅଗଷ୍ଟ ୧୪ ତାରିଖ ଦିନ ଯାଜପୁର ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଆଜି ନୂଆଗାଁ ରାଜସ୍ୱ ନୀରିକ୍ଷକଙ୍କ ପକ୍ଷରୁ ମାପଚୁପ କରାଯାଇ ସରକାରୀ ଜାଗାକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ପ୍ରଣବ ଦଖଲ କରିଥିବା ଜଙ୍ଗଲ କିସମ ଜମିରେ ତିରିଶ ବର୍ଷ ତଳେ ଗୋଟିଏ ପରେଷ୍ଟର ରେଷ୍ଟ ହାଉସ, ଗୋଟିଏ କୂଅ ଏବଂ ଅନେକ ଶିଶୁ ଓ ଶାଗୁଆନ ଗଛ ରହିଥିଲା । ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାପା ତଥା ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ସ୍ୱର୍ଗତ କଳ୍ପତରୁ ଦାସଙ୍କ ସମୟରେ ନୂଆଗାଁ ମୌଜାର ଖାତା ନମ୍ବର ୧୯୨ ପ୍ଲଟ ନମ୍ବର ୮୦ରୁ ୫ଏକର ୪୦ ଡିସିମିଲ ଜମିକୁ କିସମ ପରିବର୍ତନ କରି ଗୋକର୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାମରେ ପଟ୍ଟା କରି ନିଆଯାଇଛି । ତେବେ କଳ୍ପତରୁଙ୍କ ପରେ ପ୍ରଣବ ବିଧାୟକ ହେବା ପରେ ଏହି ବିବାଦୀୟ ଜମିରେ ଚାରିଟି ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରି ଏହିଠାରୁ ବିଜେଡି ଦଳର ରାଜନୈତିକ କାର୍ଯ୍ୟକ୍ରମ ଚଳାଉଥିଲେ । ଆଜି ରାଜସ୍ୱ ବିଭାଗ ପକ୍ଷରୁ ପ୍ରାଥମିକ ମାପଚୁପ ହେବା ପରେ ଧର୍ମଶାଳାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି ।