କନକ ବ୍ୟୁରୋ : ବୁର୍ଲା ଭିମସାରରୁ ୨ ଦିନର ଶିଶୁ ଚୋରି ଅଭିଯୋଗ । ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଦୃଶ୍ୟ। ଦୁଇଦିନର ପୁଅକୁ ଜଣେ ମହିଳା ଚୋରି କରିଥିବା ଅଭିଯୋଗ ହୋଇଛି । ଦୁଇଦିନ ତଳେ ଛତିଶଗଡ଼ ସରେଇପାଲି ଅଞ୍ଚଳର ଜଣେ ମହିଳା ବୁର୍ଲା ଭିମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ସ୍ୱାମୀ-ସ୍ତ୍ରୀଙ୍କ ସହିତ ନବଜାତର ମାଉସୀ ମଧ୍ୟ ଆସିଥିଲେ । ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀ ସହ ସମ୍ପର୍କ ବଢ଼ାଇ ଥିଲେ । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ  ଶିଶୁଟି କାନ୍ଦିବା ବେଳେ ତାକୁ ନିଜ କୋଳକୁ ନେଇଥିଲେ ଏହି ମହିଳା ।

Advertisment

ଆଉ ଧୀରେ ଧୀରେ ବାହାରକୁ ଚାଲି ଯାଇଥିଲେ । ମହିଳା ଜଣଙ୍କ ଆଗରୁ ମିଶି ଯାଇଥିବାରୁ କାହାର କିଛି ସନ୍ଦେହ ହୋଇ ନଥିଲା । ତେବେ ଦୀର୍ଘ ସମୟ ଧରି ମହିଳା ଜଣଙ୍କ ନଫେରିବାରୁ ସମସ୍ତେ ଖୋଜିଥିଲେ ।  ବୁର୍ଲା ଥାନାକୁ ଖବର ଦିଆଯାଇଥିଲା । ପୁଲିସ ପହଞ୍ଚି ପ୍ରଥମେ ସିସିଟିଭି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେହି ମହିଳା ଜଣଙ୍କ ଶିଶୁପୁତ୍ରକୁ ନେଇ ପଳାଉଥିବା ଦେଖିବାକୁ ମିଳିଛି । ମହିଳା ଓ ଶିଶୁକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ।