ମହାକୁମ୍ଭର ଦିବ୍ୟ ଏବଂ ଭବ୍ୟ ପର୍ବରେ ସାଧୁସନ୍ଥଙ୍କ ଜୀବନଶୈଳୀ ସମସ୍ତଙ୍କୁ ଆକର୍ଷିତ କରେ । ଆଧ୍ୟାତ୍ମିକତାର ଗଭୀରତା ଏବଂ ଟେକ୍ନୋଲଜିର ଚାକଚକ୍ୟ ଭିତରେ କୋଟି କୋଟି ଟଙ୍କାର ଦାମୀ କାରର ଲମ୍ବା ଲାଇନ୍ ଏବଂ ରାଜକୀୟ ଠାଣି ସାଧୁସନ୍ଥଙ୍କ ଜୀବନର ଆଉ ଏକ ଦିଗକୁ ଦର୍ଶାଏ । ଏହି ଚାକଚକ୍ୟରୁ ହିଁ ଜାଣିପାରୁଥିବେ ଯେ ମହାକୁମ୍ଭ କେବଳ ଆସ୍ଥାର ମେଳା ନୁହଁ ବରଂ ଭବ୍ୟତା , ସଂପନ୍ନତାର ଏକ ଉତ୍ସବ ।
ଯେଉଁଠାରେ ପରମ୍ପରା ଏବଂ ନୂଆ ଟେକ୍ନୋଲଜି ପାଦରେ ପାଦ ମିଶାଇ ଚାଲିଥାନ୍ତି । ଯେଉଁଠି ଆଧ୍ୟାତ୍ମ ଏବଂ ଆଧୁନିକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି ନଜର ଆସନ୍ତି । ତେବେ ଆଗରୁ ଆପଣ ନାଗାସାଧୁ , ବିଚିତ୍ର ବାବାଙ୍କ ଶୃଙ୍ଗାର ଏବଂ ସେମାନଙ୍କ ଜୀବନଚର୍ୟ୍ୟା ଉପରେ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଗେରୁଆବସ୍ତ୍ରଧାରୀ ସାଧୁସନ୍ଥଙ୍କ ଭବ୍ୟ ବାହନ ଉପରେ ଆଲୋକପାତ କରାଇବୁ ।
ପ୍ରୟାଗରାଜର ମହାକୁମ୍ଭମେଳାରେ ସାଧୁଙ୍କ ପାଇଁ ନିର୍ମିତ ହୋଇଥିବା ଅସ୍ଥାୟୀସ୍ଥଳ ଯେଭଳି ପଞ୍ଚାୟତି ଅଖାଡା ଶ୍ରୀ ନିରଞ୍ଜନୀ ଏବଂ ଅନ୍ୟ ଅଖାଡାରେ କୋଟି କୋଟି ଟଙ୍କାର ରେଞ୍ଜ୍ ରୋବର୍ ଗାଡ଼ି ଏବଂ ଅନେକ ଡିଫେଣ୍ଡର ଲଗଜରି କାର୍ ଛିଡ଼ା ହୋଇଥିବା ଦେଖିବାକୁ ମିଳିଯିବ । କିନ୍ତୁ ଭବ୍ୟତା ଭିତରେ ବି ପୁରାତନ ଢାଞ୍ଚାକୁ ଅଣଦେଖା କରିନାହାନ୍ତି ସାଧୁ ,ମହନ୍ତ । ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ଆମ୍ବାସାଡର୍ ବାବା ।
ମହନ୍ତ ରାଜଗିରି ବାବାଙ୍କ ୧୯୭୨ ମଡେଲର ଆମ୍ବାସାଡ଼ର ଗାଡ଼ି ଏହି ପରମ୍ପରାର ଏକ ବଡ଼ ଉଦାହରଣ । ଯେଉଁଥିରେ ବାବା ରୁହନ୍ତି ଏବଂ ଶୁଅନ୍ତି । ଏହା ତାଙ୍କ ସରଳ ଜୀବନଶୈଳୀ ଏବଂ ଆଧୁନିକତାର ସନ୍ତୁଳନକୁ ଦର୍ଶାଏ ।
ମହାକୁମ୍ଭର ପ୍ରତିଟି ସାଧୁ ଶିବିରରେ ଟପ୍ ମଡେଲ୍ ଫର୍ଚୁନର୍ ଗାଡ଼ି ଏମିତି ଛିଡ଼ା ହୋଇଥାନ୍ତି ଯେମିତି କେଉଁ ଶୋ’ରୁମ୍ ରେ ପ୍ରଦର୍ଶିତ ହେଉଥିବା ଗାଡ଼ି । ଏହା ସାଧୁସନ୍ଥଙ୍କ ଭବ୍ୟତା ଏବଂ ସଂପନ୍ନତାର ଏକ ନିଚ୍ଛକ ଛବି ।