Swaragadwara Photograph: (kanak news)
କନକ ବ୍ୟୁରୋ : ସ୍ୱର୍ଗଦ୍ୱାରକୁ କାଠ ଚିନ୍ତା , ବଢ଼ୁଛି ମୃତଦେହ ସଂଖ୍ୟା । ପର୍ଯ୍ୟାପ୍ତ ହେଉନି ମହଜୁଦ କାଠ । ଗତ ୧୫ ତାରିଖରେ ହେଲା ରେକର୍ଡ ସଂଖ୍ୟକ ଶବ ସତ୍କାର । କାଠ ନ ମିଳିବାରୁ ହନ୍ତସନ୍ତ ହେଲେ ଅତ୍ମୀୟସ୍ବଜନ । ଆଗକୁ ବିକଳ୍ପ ବ୍ୟବସ୍ଥା ଚିନ୍ତା ନକଲେ ଜଟିଳ ହୋଇପାରେ ପରିସ୍ଥିତି । ଡିସେମ୍ବର ୯- ୧୦୬, ଡିସେମ୍ବର ୧୦ - ୧୨୧, ୧୧ ତାରିଖ-୧୦୮, ୧୨ ତାରିଖ -୧୦୬, ୧୩ ତାରିଖ -୧୦୫, ୧୪ ତାରିଖ -୧୦୧ ଏବଂ ଡିସେମ୍ବର ୧୫ରେ ୧୩୬ । ବଢ଼ିଚାଲିଛି ପୁରୀ ସ୍ବର୍ଗଦ୍ବାରକୁ ଆସୁଥିବା ମୃତଦେହ ସଂଖ୍ୟା । ପୂର୍ବରୁ ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ ୧୨୨ଟି ଶବ ସତ୍କାର ହୋଇଥିବା ରେକର୍ଡ ଥିଲା । ଏବେ ସେ ରେକର୍ଡ ବି ଭାଙ୍ଗିଛି, ଅନ୍ୟପଟେ ଶବଦାହ ପାଇଁ ମୁଖ୍ୟ ଭୂମିକା ନିଭାଉଥିବା କାଠ ଯୋଗାଣ କିନ୍ତୁ କମିବାରେ ଲାଗିଛି , ଯାହାକୁ ନେଇ ବଢ଼ିଛି ଚିନ୍ତା ।
୫ ବର୍ଷ ତଳେ ଗୋଟିଏ ଦିନରେ ସ୍ବର୍ଗଦ୍ବାରକୁ ଆସୁଥିଲା ୪୦ରୁ ୫୦ ମୃତଦେହ । ଏବେ କିନ୍ତୁ ଏ ସଂଖ୍ୟା ହାରାହାରି ଶହେ ଟପିଛି । ହରିଶ୍ଚନ୍ଦ୍ର ଯୋଜନାରେ ମୃତଦେହ ପିଛା ୧ କ୍ବିଣ୍ଟାଲ ୮୦ କେଜି କାଠ ଯୋଗାଇ ଦିଆଯାଉଛି । ଫଳରେ ଦୈନିକ ୨୦୦ କ୍ବିଣ୍ଟାଲ୍ରୁ ଅଧିକ କାଠର ଆବଶ୍ୟକତା ପଡ଼ୁଛି । ଏହା କେବଳ ହରିଶ୍ଚନ୍ଦ୍ର ଯୋଜନାର ହିସାବ । ଏହା ବାଦ୍ ନିଜସ୍ବ ଖର୍ଚ୍ଚରେ ହେଉଥିବା ଶବଦାହ ପାଇଁ କାଠକୁ ହିସାବ କଲେ ପରିମାଣ ଆହୁରି ବଢ଼ିଯିବ । ଶୀଘ୍ର କାଠର ବିକଳ୍ପ ବ୍ୟବସ୍ଥା ନ କଲେ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ---ଧନୁଯାତ୍ରା ଆସିଲେ ମନେପଡ଼ନ୍ତି ରୂପକାର ଦେବାନନ୍ଦ ସାହୁ
ସ୍ବର୍ଗଦ୍ବାରରେ ଏବେ ୨୮ଟି ପିଣ୍ଡିରେ ଶବଦାହ ହେଉଛି । ଗୋଟିଏ ଶବ ଦାହ କରିବାକୁ ଅତି କମ୍ରେ ଦେଢ଼ଘଣ୍ଟା ସମୟ ଲାଗୁଥିବାରୁ ୧୦ ଘଣ୍ଟା ଭିତରେ ୧୧୨ ଶବ ସତ୍କାର ହୋଇପାରୁଛି । ଏଭଳି ସ୍ଥିତିରେ ଏଠାକୁ ଆସୁଥିବା ପରିଜନମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାବେଳେ ଶବ ନେଇ ଆସିଲେ, ରାତିରେ ଦାହ କରିବାକୁ ସୁଯୋଗ ମିଳୁଛି । ଏଣୁ କାଠର ପରିମାଣ ବୃଦ୍ଧି ସହ ସ୍ବର୍ଗଦ୍ବାରର ସମ୍ପ୍ରସାରଣ ପାଇଁ ସାଧାରଣରେ ଦାବି ହୋଇଛି ।
Follow Us